ଚାଇନାରୁ ନିଜ ନାଗରିକଙ୍କୁ ଫେରାଇ ଆଣିବନି ପାକିସ୍ତାନ

ଇସ୍‌ଲାମାବାଦ,୧।୨: ଚାଇନାରେ ଏବେ କରୋନା ଭୂତାଣୁ ମହାମାରୀର ରୂପ ନେଇଛି। ଏବେ ଏଠାକୁ କିଛି ଦେଶ ସେମାନଙ୍କ ବିମାନ ସେବା ବନ୍ଦ କରିଦେଇଥିବା ବେଳେ ଆଉ କିଛି ଦେଶ ସେମାନଙ୍କ ବିମାନ ସେବାକୁ କମାଇ ଦେଇଛନ୍ତି। ଭାରତ ସମେତ କିଛି ଦେଶ ଚାଇନାରେ ଥିବା ସେମାନଙ୍କ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣୁଛନ୍ତି। ହେଲେ ପାକିସ୍ତାନ ଏବେ ତା’ର ନାଗରିକଙ୍କୁ ଚାଇନାରୁ ଫେରାଇ ଆଣିବ ନାହିଁ ବୋଲି କହିଛି। ପାକିସ୍ତାନ କହିଛି ସେ ଚାଇନା ସହ ଅଛି। ଏଭଳି ସମୟରେ ସେ ଚାଇନାକୁ ସହଯୋଗ କରୁଛି। ଏକ ଖବରଦାତା ସମ୍ମିଳନୀରେ ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସମୟରେ ଯଦି ସେ ଚାଇନାରୁ ତା’ର ନାଗରିକଙ୍କୁ ଫେରାଇ ଆଣୁଛି ତେବେ ଏହା ଚାଇନା ପ୍ରତି ଠିକ୍‌ ବ୍ୟବହାର ହେବନାହିଁ। ଏହାବ୍ୟତୀତ ଏଭଳି କାର୍ଯ୍ୟ ଜଙ୍ଗଲରେ ନିଆଁ ଲଗାଇବା ସହ ସମାନ ହେବ ବୋଲି ସେ କହିଛନ୍ତି। ଏହି ସମୟରେ ପାକିସ୍ତାନ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Share