ଚାଇନାରେ ଆଫ୍ରିକୀୟଙ୍କୁ ଦୁର୍ବ୍ୟବହାର

ବେଜିଂ,୧୬।୪: କରୋନା ଭାଇରସ୍‌ ଆତଙ୍କ ମଧ୍ୟରେ ଚାଇନାରେ ଆଫ୍ରିକୀୟଙ୍କୁ ନିର୍ଯାତନା ଦିଆଯିବା ଘଟଣାରୁ କୂଟନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦକ୍ଷିଣ ଚାଇନାର ଗୁଆଙ୍ଗଝୋଉରେ ଥିବା ଆଫ୍ରିକୀୟ ପ୍ରବାସୀ ଓ ଛାତ୍ରୀଛାତ୍ରଙ୍କୁ ଜୋର୍‌ଜବରଦସ୍ତ କରୋନା ଭାଇରସ୍‌ ପରୀକ୍ଷା କରାଯିବା ସହ ୧୪ ଦିନ ଲାଗି କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ଅନେକ ଆଫ୍ରିକୀୟ ଘରଦ୍ୱାର ଛାଡ଼ି ଭୟରେ ପଳାଇଥିଲେ। ଅନେକଙ୍କୁ ଘରମାଲିକ ମଧ୍ୟ ତଡ଼ିଦେଇଥିଲା। ଏଭଳି ଘଟଣା ଜଣାପଡ଼ିବା ପରେ ଆଫ୍ରିକୀୟ ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଚାଇନାରେ ଆଫ୍ରିକୀୟଙ୍କୁ ପୋଲିସର ଦୁର୍ବ୍ୟବହାର ସହ ତାଲାବନ୍ଦ କରାଯିବା ଘଟଣା ପଦାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ଶନିବାରେ କେନିଆର ସର୍ବବୃହତ ଖବରକାଗଜ ଏଭଳି ଖବରକୁ ପ୍ରମୁଖତା ଦେଇ ପ୍ରଥମ ପୃଷ୍ଠାରେ ଛାପିବା ପରେ ଚାଇନାର ସବୁ ସତ ପଦାକୁ ଆସିଛି। କେନିଆର ଜଣେ ରାଜନେତା ଦେଶରୁ ସମସ୍ତ ଚାଇନା ନାଗରିକଙ୍କୁ ତଡ଼ ବୋଲି ମନ୍ତବ୍ୟ ଦେଇଛନ୍ତି। ଏହା ପରେ ଉଗାଣ୍ଡା, ଦକ୍ଷିଣ ଆଫ୍ରିକା, ନାଇଜେରିଆ ପକ୍ଷରୁ ଏଭଳି ଖବର ପ୍ରକାଶ କରାଯାଇ ଚାଇନାକୁ ନିନ୍ଦା କରାଯାଇଛି। ତେବେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍‌ ଏଭଳି ଖବରକୁ ଖଣ୍ଡନ କରିଛନ୍ତି।

Share