Categories: ଖେଳ

ଚାଇନାରେ କ୍ରିକେଟ ଲାଗି ରହିଛି ଗୋଟିଏ ଘାସ ପିଚ୍‌

ସାଙ୍ଘାଇ,୯।୮(ଏଏଫ୍‌ପି)- ଚାଇନାରେ ପ୍ରାୟ ନାଗରିକଙ୍କୁ କ୍ରିକେଟ କ୍ରୀଡ଼ା ବିଷୟରେ ଜଣାନାହିଁ। ୧.୪ ବିଲିୟନ ଜନସଂଖ୍ୟାଙ୍କ ଲାଗି ଗୋଟିଏ ଘାସ ପିଚ୍‌ ରହିଛି। ଏବେ ସେମାନେ ଫୁଟ୍‌ବଲ ପିଚ୍‌ରେ ପ୍ଲାଷ୍ଟିକ୍‌ ଉଇକେଟ ସହ ଖେଳିବା ଆରମ୍ଭ କରିଛନ୍ତି। ସେଠାରେ କ୍ରିକେଟ ଲାଗି ରହିଛି ସୀମିତ ସୁଯୋଗ ଓ ସୁବିଧା, ଯାହାକି ଦଳର ପ୍ରଦର୍ଶନରୁ ବାରି ହୋଇ ପଡ଼ୁଛି। କ୍ରିକେଟ ଇତିହାସରେ ସର୍ବନିମ୍ନ ସ୍କୋରରେ ଅଲଆଉଟ ହୋଇ ଚାଇନା ବିଶ୍ୱରେ ଚର୍ଚ୍ଚାକୁ ଆସୁଛି। ଏଥିଯୋଗୁ ଦେଶରେ କ୍ରିକେଟର ବିକାଶ ହୋଇପାରୁ ନାହିଁ। ୨୦୧୭ରେ ଜାତୀୟ ପୁରୁଷ ଦଳ ବିଶ୍ୱ କ୍ରିକେଟ ଲିଗ୍‌ ଫାଇନାଲରେ ସୌଦି ଆରବ ବିପକ୍ଷରେ ୨୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଉ ଚଳିତ ବର୍ଷ ଜାନୁୟାରୀରେ ମହିଳା ଦଳ ୟୁଏଇ ବିପକ୍ଷରେ ୧୪ରେ ସୀମିତ ରହି ଚର୍ଚ୍ଚାକୁ ଆସିଥିଲା। ଦେଶରେ କ୍ରକେଟ ପ୍ରଶଂସକ ମଧ୍ୟ ନାହାନ୍ତି। ଦେଶରେ ଘାସ ପିଚ୍‌ର ଅଭାବ ରହିଛି। କେବଳ ଗୋଟିଏ ଘାସ ଯୁକ୍ତ ପିଚ୍‌ ରହିଛି, ଯାହାକି ଗୁଆଙ୍ଗଝୌଠାରୁ ୧,୫୦୦ କିମି ଦୂର। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରିପୋର୍ଟ ଅନୁଯାୟୀ, ଚାଇନାରେ ୮୦ ହଜାର ଲୋକ କ୍ରିକେଟ ଖେଳୁଛନ୍ତି। ଏମାନଙ୍କ ମଧ୍ୟରେ ମୋଟ ସଂଖ୍ୟାର ଅଧା ମହିଳା ଓ ବାଳିକା ରହିଛନ୍ତି। ବିଶ୍ୱର ଦ୍ୱିତୀୟ ବୃହତ୍‌ ଇକୋନୋମି ଦେଶ ଚାଇନାରେ କ୍ରିକେଟର ଉନ୍ନତି ଦିଗରେ ଆଇସିସି କାର୍ଯ୍ୟ କରୁଛି। କିନ୍ତୁ ବର୍ତ୍ତମାନ ସେଠାରେ କ୍ରିକେଟ ଖେଳୁଥିବା ଲୋକଙ୍କ ସଂଖ୍ୟା ଦେଶର ଜନସଂଖ୍ୟା ତୁଳନାରେ କିଛି ନୁହେଁ। କ୍ରୀଡ଼ାର ଉନ୍ନତି ଲାଗି ଦେଶରେ କାର୍ଯ୍ୟ କରୁଥିବା ହୁଆଙ୍ଗ ଝୋ ବିଶ୍ୱାସ କରନ୍ତି ଯେ, ଆଗାମୀ ଭବିଷ୍ୟତରେ ଚାଇନା ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିପାରିବ। ସେ ୨୦୧୦ ଓ ୨୦୧୪ ଏସିଆନ୍‌ ଗେମ୍ସରେ ଅଂଶଗ୍ରହଣ କରିଥିବା ଚାଇନା ଦଳର ସଦସ୍ୟ ଥିଲେ। ୨୦୧୮ ସଂସ୍କରଣରେ କ୍ରିକେଟକୁ ସ୍ଥାନ ମିଳି ନ ଥିଲା। ପରବର୍ତ୍ତୀ ୨୦୨୨ ସଂସ୍କରଣରେ କ୍ରିକେଟ ପୁଣି ଫେରିବାକୁ ଯାଉଛି। ଉଲ୍ଲେଖଥାଉ କି, ୧୮୫୮ରେ ଚାଇନାରେ ପ୍ରଥମ କ୍ରିକେଟ ମ୍ୟାଚ୍‌ ଖେଳାଯାଇଥିଲା, ଯେଉଁଥିରେ ବ୍ରିଟିଶ ନାଭି ଓ ସାଙ୍ଘାଇର ଏକ ଦଳ ପରସ୍ପରକୁ ଭେଟିଥିଲେ। ଏହାପରେ ବ୍ରିଟିଶ ଅଷ୍ଟ୍ରେଲିଆ, ଦକ୍ଷିଣ ଏସିଆ, କାରିବିଅନ ଓ ହଂକଂ ଭଳି ଦେଶରେ କ୍ରିକେଟର ବିକାଶ ଦିଗରେ କାର୍ଯ୍ୟ କରିଥିଲା।

Share