ଚାଇନାରେ ଠିକ୍‌ ହୋଇଥିବା ୧୦ ପ୍ରତିଶତ ରୋଗୀ ପୁଣି କରୋନାରେ ସଂକ୍ରମିତ!

ବେଜିଂ,୨୬।୩: ପ୍ରଥମ କରି ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ବ୍ୟାପି ସାରିଲାଣି। ନିକଟରେ ଚାଇନାରୁ ଗୋଟିଏ ଦିନରେ କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବା ଖରବ ଆସିଥିଲା। ହେଲେ ୩ ଦିନ ପରେ ପୁଣିଥରେ ୪୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ କରୋନା କବଳରୁ ଚାଇନା ଯେ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ନାହିଁ ତାହା ସ୍ପଷ୍ଟ ହୋଇଛି। ଏବେ ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ଖବର ପୁଣିଥରେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି ଖବର ଅନୁଯାୟୀ ଚାଇନାରେ କରୋନା ଭାଇରସରେ ସଂକ୍ରମିତ ଥିବା ବ୍ୟକ୍ତି ସୁସ୍ଥ ହେବା ପରେ ଏମାନଙ୍କ ମଧ୍ୟରୁ ପ୍ରାୟ ୩-୧୦ ପ୍ରତିଶତ ଲୋକ ପୁଣିଥରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ହେଲେ ଏହା କେମିତି ଓ କାହିଁକି ହୋଇଛି ତାହା ଡାକ୍ତରମାନେ ଜାଣି ପାରି ନ ଥିବା କହିଛନ୍ତି। କାରଣ ଡାକ୍ତର ଓ ଗବେଷକଙ୍କ ମତରେ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ କରୋନା ସହ ଲଢିବାକୁ ଆଣ୍ଡିବଡିଜ୍‌ ବିକଶିତ ହୋଇଯିବା କଥା। ହେଲେ ଏମାନେ ପୁଣି କିପରି ସଂକ୍ରମିତ ହେଉଛନ୍ତି ତାହା ଚିନ୍ତାର କାରଣ ପାଲଟିଛି। ତେବେ ପୁଣିଥରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ପରିବାର ଓ ବନ୍ଧୁମାନଙ୍କର ଯାଞ୍ଚ କରାଯାଉଛି ବୋଲି ଜଣାପଡିଛି।

Share