ଚାଇନାରେ ତିନିଦିନରେ ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି

ବେଜିଂ,୨୨।୩(ପି.ଟି.): କରୋନା ଭୂତାଣୁ ସୃଷ୍ଟି ହୋଇଥିବା ଚାଇନାରେ କ୍ରମାଗତ ତୃତୀୟ ଦିନରେ ବି ଜଣେ ହେଲେ ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି। କରୋନା ସଂକ୍ରମଣକୁ ଚାଇନା ସଫଳତାର ସହ ମୁକାବିଲା କରିପାରିଥିବା କୁହାଯାଉଛି। ତେବେ ହୁବେଇ ପ୍ରଦେଶରେ ୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ଫଳରେ ଚାଇନାରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୨୫୫ରେ ପହଞ୍ଚତ୍ଥିବା ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି।
କରୋନା ଭୂତାଣୁ ସାରା ବିଶ୍ୱରେ ପାଖାପାଖି ୧୨ ହଜାର ଲୋକଙ୍କ ଜୀବନ ନେଲାଣି ଓ ପ୍ରାୟ ୩ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଲେଣି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କୋଭିଡ-୧୯କୁ ବିଶ୍ୱ ମହାମାରୀ ଘୋଷଣା କରିଛନ୍ତି। ସଂକ୍ରମଣ ରୋକିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ବିଭିନ୍ନ ଦେଶ ସେମାନଙ୍କ ସୀମା ବନ୍ଦ କରିବା ସହିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ଭୂତାଣୁ ବା କୋଭିଡ-୧୯କୁ ନେଇ ଅନେକ ପ୍ରଶ୍ନ ଉଠିଥିବାବେଳେ କେତେକର ଉତ୍ତର ମିଳିଛି।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ। ଜରୁରୀ ନ ଥିଲେ ଡାକ୍ତର କିମ୍ବା ଡେଣ୍ଟିଷ୍ଟଙ୍କୁ ଭେଟିବାର ଆବଶ୍ୟକ ନାହିଁ। ସେହିପରି ନିୟମିତ ସ୍କ୍ରିନିଂ ଟେଷ୍ଟ ଯଥା ମାମୋଗ୍ରାମ, ପିଏସ୍‌ଏ ରକ୍ତ ପରୀକ୍ଷା ଆଦି ବନ୍ଦ ରଖିବା ଉଚିତ ବୋଲି କୁହାଯାଇଛି। ବିକଳ୍ପ ଭାବେ ଡାକ୍ତରମାନଙ୍କଠାରୁ ଟେଲି ସ୍ବାସ୍ଥ୍ୟସେବାର ସୁବିଧା ନିଆଯାଇପାରିବ। ଅର୍ଥାତ ଫୋନ, ଭିଡିଓ ଚ୍ୟାଟିଂ ମାଧ୍ୟମରେ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇପାରିବ ବୋଲି ପରାମର୍ଶ ଦିଆଯାଇଛି।

Share