ଚାଇନାରେ ବିନା ଲକ୍ଷଣରେ ୧୫୪୧ କରୋନା ପଜିଟିଭ୍‌

ବେଜିଂ,୧।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭାଇରସ୍‌କୁ ନେଇ ପ୍ରଥମ ଥର ପାଇଁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁସାରେ ବ୍ୟକ୍ତିଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଦେଖାଦେଇ ମଧ୍ୟ ରିପୋର୍ଟରେ ପଜିଟିଭ୍‌ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ୍‌ର ନୂଆ ୧୫୪୧ ମାମଲା ସାମ୍ନାକୁ ଆସିଛି। ଏହି ରୋଗୀଙ୍କ ନିକଟରେ ପୂର୍ବରୁ କରୋନାର କୌଣସି ଲକ୍ଷଣ ଦେଖାଦେଇ ନ ଥିବା ବେଳେ ରିପୋର୍ଟ ପଜିଟିଭ୍‌ ଆସିଛି। କରୋନାର ଏହି ନୂଆ ଲକ୍ଷଣକୁ ନେଇ ଉକ୍ତ ଦେଶର ସରକାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାଦ୍ୱାରା ସଂକ୍ରମଣ ଆଉ ଅଧିକ ବ୍ୟାପିବାର ସମ୍ଭାବନା ରହିଛି ବୋଲି ସରକାର ଆଶଙ୍କା କରିଛନ୍ତି। ସୂଚନା ମୁତାବକ ୧୫୪୧ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ସେଥିମଧ୍ୟରୁ ୨୦୫ଜଣ ବିଦେଶରୁ ଆସିଥିବା ନେଇ ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ(ଏନ୍‌ଏଚ୍‌ସି) ସୂଚନା ଦେଇଛି।

Share