ଚାଇନାର ଆଇଫୋନ୍‌ ସିଟିରେ କରୋନା ବେକାବୁ, ଲକ୍‌ଡାଉନ ଯୋଗୁ ଘରେ ଭୋକ ଉପାସରେ ରହୁଛନ୍ତି ଲୋକେ…

ବେଜିଂ,୩୧।୧୦ : ଚାଇନାର ଝୋଙ୍ଗଝୋଉ ସହରରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ଏଠାରେ ଚାଇନା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦେଶର ବୃହତ୍ତମ ଆଇଫୋନ କାରଖାନା ଭାବରେ ଜଣାଶୁଣାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ସହରରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ଏଠାରୁ ପଳାୟନ କରୁଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କର୍ମଚାରୀମାନେ ପଳାଇବା ପାଇଁ ଝୋଙ୍ଗଝୋଉର ଫକ୍ସକନ ଠାରେ ଥିବା ଆପଲର ସବୁଠୁ ବଡ ଆସେମ୍ବଲି ସାଇଟକୁ ଭାଙ୍ଗିଛନ୍ତି। ଏହି ଲୋକମାନେ ଜିରୋ କୋଭିଡ ନୀତି ଅନୁସାରେ ଜାରି ହୋଇଥିବା ଲକ୍‌ଡାଉନ ଭୟରେ ସହରରୁ ପଳାୟନ କରୁଛନ୍ତି। ବହୁ ଲୋକ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ନିଜ ଘରକୁ ଚାଲିଚାଲି ଯାଉଛନ୍ତି। ଏହି ଲୋକମାନେ କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ଆପରୁ ମଧ୍ୟ ଦୂରେଇବାରେ ଲାଗିଛନ୍ତି।

ଚାଇନାର ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଶେୟାର କରାଯାଉଛି ଯେଉଁଥିରେ ଲୋକମାନେ ପ୍ଲାଣ୍ଟର କାନ୍ଥରୁ ଡେଉଁଥିବାର ଦେଖିବାକୁ ମିଳୁଛି। ସଂକ୍ରମଣକୁ ରୋକିବା ପାଇଁ ଅନେକ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଉଛି। ଲୋକଙ୍କୁ ପରସ୍ପରକୁ ଭେଟିବାକୁ ବାରଣ କରାଯାଉଛି ।
ଲକ୍‌ଡାଉନ ଯୋଗୁ ଲୋକେ ଘରେ ଖାଦ୍ୟ ପାନୀୟ ବିନା ଭୋକ ଉପାସରେ ରହିଥିବା କୁହାଯାଉଛି।

Share