Categories: ବାଣିଜ୍ୟ

ଚାଇନାର ପାଲ୍‌ଟା ଜବାବ;ଆମେରିକାର ସାମଗ୍ରୀ ଉପରେ ୨୫% ଟାରିଫ ବୃଦ୍ଧି

ବେଜିଂ,୨-୬: ଚାଇନା ଏବଂ ଆମେରିକା ମଧ୍ୟରେ ଟ୍ରେଡ ଓ୍ବାର୍‌ ଥମିବାର ନାଁ ନେଉନି। ଆମେରିକାକୁ ଜବାବ ଦେଇ ଚାଇନା ଟାରିଫ ବୃଦ୍ଧି କରିଛି। ଆମେରିକାର ୬୦ ବିଲିୟନ ଡଲାର ସାମଗ୍ରୀ ଆମଦାନୀ ଉପରେ ଚାଇନା ୨୫% ଟାରିଫ ବୃଦ୍ଧି କରିଛି। ଏଥିପୂର୍ବରୁ ଚାଇନାରୁ ଆସୁଥିବା ୨୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଆମେରିକା ଟାରିଫ ବୃଦ୍ଧି କରିଥିଲା। ମେ’ରେ ଆମେରିକା ଓ ଚାଇନା ମଧ୍ୟରେ ହୋଇଥିବା ବାଣିଜ୍ୟ ଆଲୋଚନା ଫଳାଫଳ ଶୂନ୍ୟ ଥିଲା। ଏହାପରେ ଆମେରିକା ଚାଇନାର ସାମଗ୍ରୀ ଉପରେ ଟାରିଫ ବୃଦ୍ଧି କରିଛି। ଫଳରେ ଚାଇନାର ସାମଗ୍ରୀ ଉପରେ ୧୦ରୁ ୨୫%କୁ ଟାରିଫ ବୃଦ୍ଧି ପାଇଛି। ଚାଇନାର ସରକାର ନିୟନ୍ତ୍ରିତ ଖବର କାଗଜ ଚାଇନା ଡେଲି କଷ୍ଟମ୍ସ ଟାରିଫ କମିଶନର ତଥ୍ୟକୁ ଉଲ୍ଲେଖ କରି କହିଛି ଯେ, ୧୦ରୁ ୨୫% ପର୍ଯ୍ୟନ୍ତ ଟାରିଫ ବୃଦ୍ଧି ପାଇବ। ଆମେରିକାରୁ ଆସୁଥିବା ବ୍ୟୁଟି ପ୍ରଡକ୍ଟସ, ସ୍ପୋଟର୍‌ସ ଇକ୍ୟୁପମେଣ୍ଟସ, ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟସ, ଓ୍ବାଇନ, କଣ୍ଡମ, ଡାଏମଣ୍ଡ, କାଠ, ଫ୍ୟାବ୍ରିକ୍‌ ଏବଂ ଖେଳନା ଉପରେ ଟାରିଫ ବୃଦ୍ଧି ପାଇଛି। ଉଲ୍ଲେଖଥାଉ କି, ୨୦୧୮ରେ ଆମେରିକା ଓ ଚାଇନା ମଧ୍ୟରେ ୬୫୯.୮୪ ବିଲିୟନ ଡଲାର ବାଣିଜ୍ୟ ହୋଇଥିଲା। ତନ୍ମଧ୍ୟରୁ ଚାଇନା ୫୩୯ ବିଲିୟନ ଏବଂ ଆମେରିକା ୧୨୦ ବିଲିୟନ ଡଲାର ରପ୍ତାନି କରିଛି।

Share