Advertisement

ଚାଇନାର ବିଶାଳ ବୁଦ୍ଧମୂର୍ତ୍ତିଁ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା

ବେଜିଂ: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ବୌଦ୍ଧଧର୍ମର ପ୍ରବର୍ତ୍ତକ ବୁଦ୍ଧଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କ ନିମନ୍ତେ ପୁଣି ଉନ୍ମୁକ୍ତ କରାଯାଇଛି। ୭୧ ମିଟର ଉଚ୍ଚ ଏହି ପ୍ରତିମୂର୍ତ୍ତି ବିଶ୍ୱରେ ସର୍ବବୃହତ୍‌। ୬ମାସ ଧରି ଏହାର ମରାମତି ଚାଲିଥିଲା। ତାଙ୍ଗ୍‌ ରାଜବଂଶର ଶାସନ କାଳ (୬୧୮-୯୦୭) ମଧ୍ୟରେ ୭୧୩ ଖ୍ରୀଷ୍ଟାବ୍ଦରେ ଲେଶାନ ପର୍ବତକୁ ଖୋଦନ କରି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥିଲା। ଭାରତରୁ ବୌଦ୍ଧଧର୍ମର ଉଦ୍‌ଭବ ହୋଇଥିଲେ ହେଁ ଚାଇନାରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ହୋଇଥିଲା। ଏହି ପ୍ରତିମୂର୍ତ୍ତିରେ ଦାଗ ସୃଷ୍ଟିହେବା ସହିତ ଛାତି ଓ ତଳିପେଟ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୮ ଅକ୍ଟୋବରରେ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଛି। ପର୍ଯ୍ୟଟକଙ୍କ ନିମନ୍ତେ ଏହାକୁ ଶୁକ୍ରବାର ପୁନର୍ବାର ଖୋଲାଯାଇଛି। ଏଥିପାଇଁ ଉଚ୍ଚ ମାନର ପ୍ରତିରୋଧୀ ପଦ୍ଧତି, ୩ଡି ଲେଜର ସ୍କାନିଂ ଏବଂ ଡ୍ରୋନ ଏରିୟଲ ସର୍ଭେ ଭଳି ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ୟୁନେସ୍କୋ ତାଲିକାରେ ଥିବା ଏହି ସାଂସ୍କୃତିକ ଐତିହାସିକ ପ୍ରତିମୂର୍ତ୍ତିରେ ଏକାଧିକ ଥର ମରାମତି କରାଯାଇଛି। ୨୦୦୧ରେ ଉକ୍ତ ପ୍ରତିମୂର୍ତ୍ତିକୁ ପରିଷ୍କାର କରାଯିବା ସହିତ ଫାଟ ମରାମତି ଏବଂ ଡ୍ରେନେଜ ପାଇପ ସ୍ଥାପନ କରିବାରେ ୨୫୦ ନିୟୁତ ୟୁଆନ୍‌ ଖର୍ଚ୍ଚ ହୋଇଥିଲା। ୨୦୦୭ରେ ମଧ୍ୟ ପ୍ରତିମୂର୍ତ୍ତି ଉପରେ ଅମ୍ଳବର୍ଷାଜନିତ କ୍ଷୟକ୍ଷତି ମରାମତି କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share