‘ଚାଇନାର ଶକ୍ତିବୃଦ୍ଧି ବିଶ୍ୱକୁ ବିପଦ’

ଓ୍ବାଶିଂଟନ,୨୨ା୯(ପି.ଟି.): ଚାଇନାର ସାମରିକ ଶକ୍ତିବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚିନ୍ତାବ୍ୟକ୍ତ କରିବା ସହ ଏହା ସାରା ବିଶ୍ୱ ପାଇଁ ବିପଦ ବୋଲି କହିଛନ୍ତି। ଏହି କମ୍ୟୁନିଷ୍ଟ ରାଷ୍ଟ୍ର ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି କରି ଏହାର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି କରିଛି। ଏହାକୁ ରୋକି ନ ଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଟ୍ରମ୍ପ୍‌ ଦାୟୀ କରିଛନ୍ତି। ବିବାଦୀୟ ଦକ୍ଷିଣ ଚାଇନା ସାଗରରେ ଆମେରିକାର ପ୍ରବେଶକୁ ପ୍ରତିହତ କରିବା ଲାଗି ବେଜିଂ ଏହାର ପ୍ରତିରକ୍ଷା ବ୍ୟୟ ୧୫୨ ବିଲିୟନ ଡଲାରକୁ ବୃଦ୍ଧି କରିଛି। ସେମାନେ ସାମରିକ ଶକ୍ତିର ଦ୍ରୁତ ବୃଦ୍ଧି କରୁଥିବାରୁ ଏହା ବିଶ୍ୱ ପାଇଁ ବିପଜ୍ଜନକ ବୋଲି ଟ୍ରମ୍ପ୍‌ କହିଛନ୍ତି। ତାଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ଉପସ୍ଥିତ ଥିଲେ। ତାଙ୍କ ପୂର୍ବରୁ ଆମେରିକା ରାଷ୍ଟ୍ରପତିମାନେ ଚାଇନାକୁ ବର୍ଷକୁ ୫୦୦ ବିଲିୟନରୁ ଊର୍ଦ୍ଧ୍ୱ ଆର୍ଥତ୍କ ସହାୟତା ଯୋଗାଉଥିଲେ। ଏଥିସହିତ ଆମେରିକାର ବୌଦ୍ଧିକ ସମ୍ପତ୍ତି ଓ ସମ୍ପତ୍ତି ଅଧିକାରକୁ ମଧ୍ୟ ବେଜିଂ ଚୋରି କରିଥିଲା। ସେ ଏଭଳି ହେବାକୁ ଦେବେନାହିଁ ବୋଲି ଟ୍ରମ୍ପ କହିଛନ୍ତି।

Share