ଚାଇନାର ୪ ଭୁଲ୍‌: କରୋନା ସମ୍ପର୍କରେ ପୂର୍ବରୁ ମିଳିଥିଲେ ସୂଚନା ପୃଥିବୀରେ ସଂକ୍ରମଣ ୯୫ ପ୍ରତିଶତ ହୋଇଥାନ୍ତା କମ୍‌

ଓ୍ବାଶିଂଟନ,୭।୪: ଦିନକୁ ଦିନ ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ସମସ୍ତ ଉଦ୍ୟମ ଅସଫଳ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀର ପ୍ରାୟ ୯୯ ପ୍ରତିଶତ ଲୋକ କରୋନା ସଂକ୍ରମଣ ଲାଗି ଚାଇନାକୁ ଦାୟୀ କରିଛନ୍ତି। ଚାଇନାର ୪ଟି ଭୁଲ୍‌ ପାଇଁ ପୃଥିବୀର ୨୦୬ ଦେଶରେ କରୋନା ସଂକ୍ରମଣ ହୋଇଥିବା ଇସ୍ରାଏଲର ଲାଇଟ୍‌ କମ୍ପାନୀ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଫଳରେ ଏବେ ସାରା ପୃଥିବୀରେ ସଂକ୍ରମଣ ବଢ଼ିଚାଲିଥିବାବେଳେ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ବହୁ ରାଷ୍ଟ୍ରରେ ଲୋକ ଲକ୍‌ଡାଉନ୍‌ ଯୋଗୁ ଘରେ ବନ୍ଦ ହୋଇଥିବାବେଳେ କରୋନା ସୃଷ୍ଟି ହୋଇଥିବା ଉହାନ ସହର ପୁଣି ସ୍ବାଭାବିକ ହେବାରେ ଲାଗିଛି। କରୋନା ସମ୍ପର୍କରେ ପୂର୍ବରୁ ସୂଚନା ମିଳିଥିଲେ ପୃଥିବୀରେ ସଂକ୍ରମଣ ୯୫ ପ୍ରତିଶତ କମ୍‌ ହୋଇଥାନ୍ତା ବୋଲି ରିପୋର୍ଟରେ କୁହାଯାଇଛି। ସଂକ୍ରମଣ ହେବାର ଏକ ମାସ ପର୍ଯ୍ୟନ୍ତ ଏହା ମଣିଷଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଥାଏ ବୋଲି ଚାଇନା ପ୍ରକାଶ କରି ନ ଥିଲା। କରୋନା ସମ୍ପର୍କରେ ଚାଇନା ସମସ୍ତ ତଥ୍ୟ ଲୁଚାଇବା ଦ୍ୱାରା କେହି ଏହାର ଭୟାବହତା ଜାଣିପାରି ନ ଥିଲେ। ସେହିପରି ଚାଇନା ଅନ୍ତର୍ଜାତୀୟସ୍ତରରେ ବିମାନ ଉଡ଼ାଣ ଜାରି ରହିଥିଲା। ଏହାଯୋଗୁ ବିଭିନ୍ନ ଦେଶକୁ କରୋନା ସଂକ୍ରମିତ ହୋଇଥିଲା। ଏହା ଚାଇନାର ପ୍ରଥମ ଭୁଲ୍‌। ସେହିପରି ଇଟାଲିରେ ୩ ଲକ୍ଷରୁ ଅଧିକ ଚାଇନା ନାଗରିକ ବସବାସ କରୁଛନ୍ତି। ସେମାନେ ଜାନୁୟାରୀରେ ଚାଇନା ଆସି ପୁଣି ଇଟାଲି ଫେରି ଯାଇଥିଲେ। ଚାଇନାରେ ନୂଆ ବର୍ଷ ଜାନୁୟାରୀ ୨୫ରେ ପାଳନ କରାଯାଇଥିଲା। ଏହାପରେ ଲୋକେ ଇଟାଲି ଫେରିଥିଲେ। ଏହାଦ୍ୱାରା ଇଟାଲି କରୋନା ସଂକ୍ରମଣ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ଚାଇନାର ଦ୍ୱିତୀୟ ଭୁଲ୍‌ ବୋଲି କୁହାଯାଉଛି। ୭ ସପ୍ତାହ ପରେ ଚାଇନା ଉହାନକୁ ଲକ୍‌ଡାଉନ୍‌ କଲା। ଏହା ପୂର୍ବରୁ ଏପରି କରାଯାଇଥିଲେ ପୃଥିବୀର ଅନ୍ୟ ସ୍ଥାନକୁ କରୋନା ସଂକ୍ରମଣ ହୋଇ ପାରି ନ ଥାନ୍ତା। ଏହା ଚାଇନାରେ ତୃତୀୟ ଭୁଲ୍‌। କରୋନା ସଂକ୍ରମଣ ରୋକିବାରେ ଚାଇନା ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ଚତୁର୍ଥ ଭୁଲ୍‌ ବୋଲି ଏହି ରିପୋର୍ଟରେ କୁହାଯାଇଛି।

Share