ଚାଇନାର ୫ ସୈନ୍ୟ ମୃତ, ୧୧ ଆହତ: ଗ୍ଲୋବାଲ ଟାଇମ୍ସ୍‌

ବେଜିଂ, ୧୬।୬: ଭାରତ ଚାଇନା ସୈନ୍ୟ ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ପରସ୍ପର ଉପରକୁ ଗୁଳି ଚାଳନା କରିଛନ୍ତି। ଏଥିରେ ଚାଇନାର ୫ ସୈନ୍ୟଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଆହତ ହୋଇଥିବା ଗ୍ଲୋବାଲ ଟାଇମ୍ସ୍‌ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଦାବି କରାଯାଇଛି। ଏହି ଘଟଣାକୁ ନେଇ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି କହିଛନ୍ତି ଯେ, ଭାରତୀୟ ସେନା ବିବାଦୀୟ କ୍ଷେତ୍ରରେ ପ୍ରବେଶ କରିଥିଲେ। ଚାଇନା ସୈନ୍ୟ ଏହାର ବିରୋଧ କରିବାରୁ ସେମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହି ଘଟଣାର ପ୍ରଭାବ ଦୁଇଦେଶର ଶାନ୍ତି ଆଲୋଚନା ଉପରେ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ ସମ୍ପାଦକ ହୁ ଜିନିନ୍‌ କହିଛନ୍ତି ଯେ, ଭାରତ ସହିତ କୌଣସି ଉତ୍ତେଜନା ସୃଷ୍ଟି ହେଉ ଏହା ଚାଇନା ଚାହେଁ ନାହିଁ। ତେବେ ଭାରତ ଚାଇନାକୁ ଦୁର୍ବଳ ଭାବିବା ଅନୁଚିତ ବୋଲି ସେ କହିଛନ୍ତି। ଦୁଇସପ୍ତାହ ତଳେ ଭାରତ ଚାଇନା ମଧ୍ୟରେ ହୋଇଥିବା ଆଲୋଚନାରେ ଦର୍ଶାଯାଇଥିଲା ଯେ, ଚାଇନା ଗଲଓ୍ବାଂ ଘାଟିର ପଏଣ୍ଟ୍‌ ୧୪, ୧୫ ଏବଂ ୧୭-ଏ ଠାରୁ ସୈନ୍ୟ ହଟାଇ ନେବ। ଚାଇନା ସେନା ଶ୍ୟୋକ୍‌ ନଦୀ ଏବଂ ଗଲଓ୍ବାଂ ନଦୀ ମୁହାଣ ପର୍ଯ୍ୟନ୍ତ ଭାରତ ସୀମା ଅଞ୍ଚଳକୁ ମାଡ଼ି ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଚାଇନା ସୈନ୍ୟ ସମ୍ପୂଣ୍ଣ ହଟି ନାହାଁନ୍ତି। ଦୁଇଦେଶ ମଧ୍ୟରେ ଉତ୍ତେଜନା କମାଇବା ପାଇଁ ଭାରତୀୟ ସେନା ଅଧିକାରୀ ଏବଂ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ଲାଗି ଉଦ୍ୟମ ଜାରି ରହିଛି।

Share