Categories: ଖେଳ

ଚାଇନା ଓପନ୍‌ ଉପରେ ସିନ୍ଧୁଙ୍କ ନଜର

ଚାଙ୍ଗ୍‌ଝୋଉ (ଚାଇନା), ୧୬।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ ବିଶ୍ୱ ଟୁର୍‌ ସୁପର୍‌-୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଚାମ୍ପିୟନ ଭାରତୀୟ ତାରକା ମହିଳା ଶଟ୍‌ଲର ପି.ଭି. ସିନ୍ଧୁ ଏହି ସମ୍ମାନଜନକ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିଛନ୍ତି। ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ରହିଥିବା ସିନ୍ଧୁ ଗତ ମାସରେ ସୁଇଜରଲାଣ୍ଡର ବାସେଲରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହେବାର କୃତୀତ୍ୱ ହାସଲ କରିଥିଲେ। ଚାଇନା ଓପନ୍‌ରେ ମଧ୍ୟ ଭାରତୀୟ ଭାବେ ଶ୍ରେଷ୍ଠ ପ୍ରଦର୍ଶନ ସିନ୍ଧୁଙ୍କ ନାମରେ ରହିଛି। ୨୦୧୬ରେ ସେ ଏଠାରେ ଟାଇଟଲ୍‌ ବିଜୟିନୀ ହୋଇଥିଲେ। ୨୪ ବର୍ଷୀୟ ସିନ୍ଧୁ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଚାଇନାର ଲି ଜୁରେଇଙ୍କ ବିପକ୍ଷରେ ଖେଳି ତାଙ୍କ ଅଭିଯାନ ଆରମ୍ଭ କରିବେ। ସ୍ମରଣଯୋଗ୍ୟ, ୨୦୧୨ରେ ଚାଇନା ମାଷ୍ଟର୍ସରେ ଅଲିମ୍ପିକ ଚାମ୍ପିୟନ ଲିଙ୍କୁ ପରାସ୍ତ କରି ବିଶ୍ୱସ୍ତରରେ ସିନ୍ଧୁ ନିଜ ପରିଚୟ ପ୍ରତିଷ୍ଠା କରିପାରିଥିଲେ। ଉଭୟ ସିନ୍ଧୁ ଓ ଲି’ଙ୍କ ମଧ୍ୟରେ ମୋଟ୍‌ ୬ଥର ମୁକାବିଲା ହୋଇଥିବାବେଳେ ଉଭୟ ୩ଥର ଲେଖାଏ ବିଜୟୀ ହୋଇଛନ୍ତି। ବିଶ୍ୱ ମାନ୍ୟତାର ୮ମ ସ୍ଥାନରେ ରହିଥିବା ସାଇନା ନେହ୍ବାଲ ମଧ୍ୟ ଏହି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି। ସାଇନା ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରନ୍‌ଗଫାନଙ୍କୁ ଭେଟିବେ। ତେବେ ପୁରୁଷ ସିଙ୍ଗଲ୍ସରେ କିଡାମ୍ବୀ ଶ୍ରୀକାନ୍ତ ଓ ଏଚ୍‌.ଏସ୍‌. ପ୍ରଣୟ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଶ୍ରୀକାନ୍ତ ଆଣ୍ଠୁଜନିତ ଆଘାତ ସମସ୍ୟା ଲାଗି ଓ ପ୍ରଣୟ ଡେଙ୍ଗୁ ଜ୍ୱର ପାଇଁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି।

Share