ଚାଙ୍ଗ୍ଝୋଉ (ଚାଇନା), ୧୭।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମିକ୍ସଡ୍ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାନ୍କିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଦମ୍ଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ସାତ୍ତ୍ୱିକ ଓ ଅଶ୍ୱିନୀ ଯୋଡ଼ି ୨୨-୨୦, ୧୭-୨୧, ୨୧-୧୭ ଗେମ୍ରେ ବିଶ୍ୱ ମାନ୍ୟତାର ୭ମ ସ୍ଥାନରେ ରହିଥିବା ପ୍ରବୀଣ ଜୋର୍ଡାନ ଓ ମେଲାଟି ଡାଏଭା ଓକ୍ତାଭିଏଣ୍ଟିକୁ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ୨୬ତମ ସ୍ଥାନରେ ରହିଥିବା ଏହି ଭାରତୀୟ ଯୋଡ଼ି ମ୍ୟାଚ୍କୁ ଜିତିବାକୁ ୫୦ ମିନିଟ୍ ସମୟ ନେଇଥିଲେ। ଜୋର୍ଡାନ ଓ ମେଲାଟି ବର୍ତ୍ତମାନ ସୁଦ୍ଧା ୫ ଫାଇନାଲରେ ପ୍ରବେଶ କରିସାରିଥିଲେ ମଧ୍ୟ ସାତ୍ତ୍ୱିକ-ଅଶ୍ୱିନୀ ଯୋଡ଼ିଙ୍କଠାରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ।