Categories: ଖେଳ

ଚାଇନା ଓପନ ଟାଇଟଲ ସହ ଫେରିଲେ ମାରିନ

ଚାଙ୍ଗ୍‌ଝୋ,୨୨।୯: ଅଲିମ୍ପିକ୍‌ ଚାମ୍ପିୟନ କାରୋଲିନା ମାରିନ ସଫଳତାର ସହ ଆହତ ସମସ୍ୟାରୁ ଫେରି ନିଜର ଚାଇନା ଓପନ ଟାଇଟଲ ଡିଫେଣ୍ଡ କରିଛନ୍ତି। ରିଓ ଅଲିମ୍ପିକ୍‌ ଚାମ୍ପିୟନ ମାରିନ ୧୪-୨୧, ୨୧-୧୭, ୨୧-୧୮ ଗେମ୍‌ରେ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କୁ ହରାଇ ଦେଇଛନ୍ତି। ପ୍ରଥମ ଗେମ୍‌ରେ ହାରିବା ପରେ ମଧ୍ୟରେ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ସ୍ପାନିଶ ଖେଳାଳି ମାରିନ ଦ୍ୱିତୀୟ ଓ ତୃତୀୟ ଗେମ୍‌ ଜିତି ଟାଇଟଲ ହାତେଇ ନେଇଥିଲେ। ସମାନ ପ୍ରତିପକ୍ଷ ଖେଳାଳିଙ୍କଠାରୁ କ୍ରମାଗତ ୬ ଥର ହାରିବା ପରେ ମାରିନ ପ୍ରଥମ ବିଜୟ ସ୍ବାଦ ଚାଖିଛନ୍ତି। ମ୍ୟାଚ୍‌ ଜିତିବା ପରେ ମାରିନ କାନ୍ଦି ପକାଇଥିଲେ। ମୁଁ ଏତେ ଖୁସି ଯେ, ମୁଁ କିଛି କହିପାରିବି ନାହିଁ ବୋଲି ଟାଇଟଲ ବଜାୟ ରଖିବା ପରେ ସେ କହିଛନ୍ତି। ଉଲ୍ଲେଖଥାଉ କି, ଗତ ଜାନୁୟାରୀରେ ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟରେ ମାରିନଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ଅସ୍ତ୍ରୋପଚାର ମଧ୍ୟ କରାଇବାକୁ ପଡ଼ିଥିଲା। ଏଥିଯୋଗୁ ଦୀର୍ଘ ୮ ମାସ ଧରି ସେ କୋର୍ଟରୁ ଦୂରେଇ ରହିଥିଲେ।

Share