ଚାଇନା କହିଲା ସ୍ଥିତି ନିୟନ୍ତ୍ରଣାଧୀନ

ବେଜିଂ,୨୮ା୫: ଭାରତ-ଚାଇନା ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି। ଆଲୋଚନା ଓ ବିଚାରବିମର୍ଶ ଜରିଆରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ଉପଯୁକ୍ତ ବ୍ୟବସ୍ଥା ଆପଣାଇଥିବା ବୁଧବାର ବେଜିଂ ପକ୍ଷରୁ କୁହାଯାଇଛି। ଭାରତ ଓ ଚାଇନା ସେନା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ମୁହଁାମୁହିଁ ହେବା ପରେ ଚାଇନା ପକ୍ଷରୁ ଏଭଳି ମନ୍ତବ୍ୟ ଆସିଛି। ପଡ଼ୋଶୀ ଦେଶର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି, ସୀମା ବିବାଦକୁ ନେଇ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ। ଅଣାନୁଷ୍ଠାନିକ ବୈଠକରେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ସହମତି ଓ ଦୁଇ ପଡ଼ୋଶୀଙ୍କ ଭିତରେ ହୋଇଥିବା ଚୁକ୍ତିନାମାକୁ ନେଇ ଆମେ କାର୍ଯ୍ୟ କରୁଛୁ। ପ୍ରକାଶ ଯେ, ଏହାର ଦିନକ ପୂର୍ବରୁ ଚାଇନା ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ନିଜ ଦେଶର ଭୂଖଣ୍ଡ ଓ ସାର୍ବଭୌମତ୍ୱର ସୁରକ୍ଷା ସକାଶେ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

Share