Categories: ଖେଳ

ଚାଇନା ଟୁର୍‌ରେ ଯିବନି ମହିଳା ହକି ଦଳ

ନୂଆଦିଲ୍ଲୀ, ୭ା୨ (ପି.ଟି.)- ଘାତକ କରୋନା ଭାଇରସ୍‌ର ପ୍ରକୋପ ଯୋଗୁ ଭାରତୀୟ ମହିଳା ହକି ଦଳ ଚାଇନା ଟୁର୍‌ରେ ଯିବ ନାହିଁ। ଅଲିମ୍ପିକ୍ସ କ୍ରମେ ନିକଟତର ହୋଇ ଆସୁଥିବାବେଳେ ପ୍ରସ୍ତୁତି ପାଇଁ ଅନ୍ୟ କୌଣସି ଦଳ ଯୋଗାଡ଼ କରିବା କଷ୍ଟକର ବୋଲି ଅଧିନାୟିକା ରାଣୀ ରାମପାଲ କହିଛନ୍ତି। ଭାରତୀୟ ମହିଳା ଦଳ ମାର୍ଚ୍ଚ ୧୪ରୁ ୨୫ ପର୍ଯ୍ୟନ୍ତ ଚାଇନା ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିଲା। ମାତ୍ର କରୋନା ଭାଇରସ୍‌ର ଦ୍ରୁତ ପ୍ରସାର ଯୋଗୁ ଏହା ବାତିଲ କରାଯାଇଛି। କରୋନା ଭାଇରସ୍‌ରେ ପୀଡ଼ତି ହୋଇ ଚାଇନାରେ ୬୩୬ ଲୋକ ପ୍ରାଣ ହରାଇ ସାରିଲେି। ଆହୁରି ୩୧,୧୬୧ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ବହୁ ଦଳ ପ୍ରୋ-ହକି ଲିଗ୍‌ରେ ଭାଗ ନେଇଛନ୍ତି। ଆର୍ଜେଣ୍ଟିନା, ବେଲଜିୟମ, ଅଷ୍ଟ୍ରେଲିଆ, ଜର୍ମାନୀ,ଗ୍ରେଟ୍‌ ବ୍ରିଟେନ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏଫଆଇଏଚ୍‌ ପ୍ରୋ-ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି। ଅଲିମ୍ପିକ୍ସ ଆଉ ୫ମାସରୁ କମ୍‌ ସମୟ ରହିଥିବାବେଳେ ଇଭେଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ବର୍ତ୍ତମାନ ସମୟ ଗୁରୁତ୍ୱପୂର୍ଣ୍ଣ। ଭଲ ରୂପେ ପ୍ରସ୍ତୁତ ହେବାକୁ ହେଲେ ଭଲ ଦଳ ବିପକ୍ଷରେ ଖେଳିବାକୁ ହେବ ବୋଲି ରାଣୀ ପ୍ରକାଶ କରିଛନ୍ତି। ଭାରତୀୟ ମହିଳା ହକି ଦଳର ନ୍ୟୁଜିଲାଣ୍ଡ ଟୁର୍‌ ବୁଧବାର ଶେଷ ହୋଇଛି। ଦଳ ବର୍ତ୍ତମାନ ଫେବୃୟାରୀ ୧୬ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ୪ ସପ୍ତାହ ଧରି ଟ୍ରେନିଂ ଓ କଣ୍ଡିଶନିଂ କ୍ୟାମ୍ପରେ ରହିବ। ଗତବର୍ଷ ୨୦୧୯ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ଭୁବନେଶ୍ୱର ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପରାସ୍ତ କରି ଭାରତ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଭାରତୀୟ ମହିଳା ହକି ଦଳ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ଭଗା ନେବାକୁ ଯାଉଛି।

Share