Categories: ଖେଳ

ଚାଇନା ପାରା-ବ୍ୟାଡ୍‌ମିଣ୍ଟନ: ଦୁଇଟି ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୯।୯(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ଷ୍ଟାର୍‌ ଶଟ୍‌ଲର ପ୍ରମୋଦ ଭଗତ ଚାଇନାର ୟୁହାଙ୍ଗ ଝାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ସେ ୨ଟି ପଦକ ନିଶ୍ଚିତ କରିଛନ୍ତି। ଶନିବାର ଖେଳାଯାଇଥିବା ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦ ୨୧-୧୫, ୧୯-୨୧, ୨୧-୧୦ ଗେମ୍‌ରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ପରାସ୍ତ କରିଛନ୍ତି। ପ୍ରମୋଦ ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କୁ ଭେଟିବେ। ସେହିଭଳି ଡବଲ୍ସରେ ପ୍ରମୋଦ ଓ ତାଙ୍କ ସାଥୀ ଖେଳାଳି ମନୋଜ ସରକାର ସେମିଫାଇନାଲରେ ସହଜ ବିଜୟ ଲାଭ କରିଛନ୍ତି। ପ୍ରମୋଦ ଓ ମନୋଜ ଯୋଡ଼ି ୨୪-୨୨, ୨୧-୧୪ ଗେମ୍‌ରେ ଚାଇନା ଯୋଡ଼ି ଜିଆଓୟୁ ଚେନ୍‌ ଓ ୟୁୟାଙ୍ଗ୍‌ ଗାଓଙ୍କୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ଫାଇନାଲରେ ଅଲ୍‌ଇଣ୍ଡିଆ ମୁକାବିଲା ଦେଖିବାକୁ ମିଳିବ। ପ୍ରମୋଦ-ମନୋଜ ଯୋଡ଼ି ଏବଂ ଅନ୍ୟତମ ଭାରତୀୟ ଯୋଡ଼ି ବିକ୍ରମ କୁମାର ଓ ସୁହାସ ଲି ମଧ୍ୟରେ ଫାଇନାଲ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହେବ।

Share