ଓ୍ବାଶିଂଟନ,୩୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଜିଂ ଉପରେ ଶୁକ୍ରବାର ଏକ ଅପ୍ରତ୍ୟାଶିତ ଆକ୍ରମଣ କରିଛନ୍ତି। ଗୁପ୍ତଚରଠାରୁ ନେଇ ହଂକଂର ସ୍ବାଧିନତା ଉଲ୍ଲଂଘନ ପର୍ଯ୍ୟନ୍ତ ସବୁକଥା ଉଠାଇ ଟ୍ରମ୍ପ ପ୍ରତିଶୋଧ ପରାୟଣ ପଦକ୍ଷେପ ନେବାକୁ କରିଛନ୍ତି ଘୋଷଣା । ଏବେ ଏହା ଆମେରିକା- ଚାଇନା ସମ୍ପର୍କକୁ ସଙ୍କଟରେ ପକାଇବ ବୋଲି ଅନୁମାନ କରାଯାଉଛି। ଚାଇନାକୁ ନେଇ ଟ୍ରମ୍ପ କହିଛନ୍ତି ବେଜିଂ ଆମ କାରଖାନା ଉପରେ ଆକ୍ରମଣ କରିଛି ଓ ଆମେରିକାର ଶିଳ୍ପକୁ ନଷ୍ଟ କରିଦେଇଛି। ଯାହା ପୂର୍ବରୁ କେହି କେବେ କରି ନ ଥିଲେ ତାହା ଏବେ ଚାଇନା କରିଛି ବୋଲି ଟ୍ରମ୍ପ କହିଛନ୍ତି। ଏହାସହ ଚାଇନା ପ୍ରଶାନ୍ତ ମହାସାଗରରେ ମଧ୍ୟ ବେଆଇନ ଭାବେ ଦାବି କରୁଥିବା କଥା ଉଠାଇଛନ୍ତି ଟ୍ରମ୍ପ। ଏହା ନାଭିଗେଶନ ସ୍ବାଧିନତା ପ୍ରତି ଏକ ପ୍ରକାର ଧମକ ବୋଲି କହି ଚାଇନାକୁ ଦୋଷାରୋପ କରିଛନ୍ତି ଟ୍ରମ୍ପ। ଏହାସହ ଆମେରିକା ରାଷ୍ଟ୍ରପତି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି।