ଚାଇନା ବିରୋଧରେ ଭାରତ ଲଢୁଛି ଦୁଇଟି ଯୁଦ୍ଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ଚାଇନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ଭାରତ ଚାଇନା ବିରୋଧର ୨ ପ୍ରକାର ଯୁଦ୍ଧ ଲଢୁଛି। ଗୋଟିଏ ପଟେ ଚାଇନା ଭାଇରସ ସହ ଅନ୍ୟପଟେ ସୀମାରେ ଚାଇନା ସେନା ସହ। ଦେଶର ଏହି ସଙ୍କଟ ସମୟରେ ଆମେ ଏକଜୁଟ ଅଛୁ ବୋଲି କେଜରିଓ୍ବାଲ କହିଛନ୍ତି। ଚାଇନାଠରୁ ଯୁଦ୍ଧରେ ବିଜୟୀ ହେବାକୁ ଗୋଟିଏ ପଟେ ଡାକ୍ତର ଲଢୁଥିବା ବେଳେ ଅନ୍ୟପଟେ ସେନା ବି ଲଢେଇ କରି ଚାଲିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ କହିଛନ୍ତି ଦିଲ୍ଲୀରେ ଏବେ ୨୫ ହଜାର ଆକ୍ଟିଭ କେଶ ରହିଛି। ସେହିପରି ଦିଲ୍ଲୀରେ ଟେଷ୍ଟିଂ ପରିମାଣ ୩ଗୁଣା ବୃଦ୍ଧି ପାଇଛି। ଫଳରେ ପୂର୍ବରୁ ଦିନକୁ ମାତ୍ର ୫ହଜାର କରୋନା ଟେଷ୍ଟ କରାଯାଉଥିବା ବେଳେ ଏବେ ଦିନକୁ ୧୮ ହଜାର ଟେଷ୍ଟ କରାଯାଇ ପାରିବ ବୋଲି ସେ କହିଛନ୍ତି। ତେଣୁ ଏବେ ଦିଲ୍ଲୀବାସୀ କରୋନା ଟେଷ୍ଟକୁ ନେଇ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ରାଜଧାନୀରେ କରୋନା ମୃତ୍ୟୁହାର ମଧ୍ୟ କମ୍‌ ରହିଛି ବୋଲି କେଜରିଓ୍ବାଲ ମତ ରଖିଛନ୍ତି। ଅନ୍ୟପଟେ ହୋମ୍‌ ଆଇସୋଲେଶନରେ ରହୁଥିବା ରୋଗୀଙ୍କୁ ଏଣିକି ସରକାର ପଲସ୍‌ ଅକ୍ସିମିଟରର୍ସ ଯୋଗାଇ ଦେବେ ବୋଲି କେଜରିଓ୍ବାଲ କହିଛନ୍ତି। ଫଳରେ ରୋଗୀ ପ୍ରତି ଘଣ୍ଟାରେ ତାଙ୍କର ଅକ୍ସିଜେନ ଲେବଲ ଟେଷ୍ଟ କରିପାରିବେ। ଆଉ ଯେତେବେଳେ ରୋଗୀ ଜଣକ ସୁସ୍ଥ ହୋଇଯିବେ ସେତେବେଳେ ସେ ସରକାରଙ୍କୁ ପଲସ୍‌ ଅକ୍ସିମିଟରର୍ସ ଫେରାଇ ଦେବେ ବୋଲି ସେ କହିଛନ୍ତି।

Share