Categories: ଜାତୀୟ

ଚାଇନା ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମହାବଳିପୁରମ: ୫୦୦ ସିସିଟିଭି, ୧୦ହଜାର ଯବାନ ମୁତୟନ

ମହାବଳିପୁରମ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ଏଥିପାଇଁ ଚେନ୍ନାଇର ମହାବଳିପୁରମକୁ ସୁସଜ୍ଜିତ ଭାବେ ସଜାଯାଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିନପିଙ୍ଗଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୫୦୦ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ୧୦ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଚାଇନା ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ମହାବଳିପୁରମ ବା ମାମଲ୍ଲାପୁରମ ପହଞ୍ଚିବେ। ଜିନପିଙ୍ଗ ଚେନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ପାରମ୍ପରିକ ଭାବେ ଭବ୍ୟସ୍ବାଗତ କରାଯିବ। ଏହାପରେ ୩୫୦କଳାକାର ଭିନ୍ନ ଭିନ୍ନ ନୃତ୍ୟ ପରିବେଷଣ କରିବା ସହ କେବଳ ୪୦ଜଣ କଳାକାର ଭରତନାଟ୍ୟମ କରିବେ। ଏହି ଗସ୍ତ ସମୟରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିତୀୟ ଅନୌପଚାରିକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ଓ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି।

Share