ଚାଇନା ଲୁଚାଇଲା କରୋନାର ପ୍ରାରମ୍ଭିକ ସୂଚନା, ପରିଣାମ ଭୋଗୁଛି ବିଶ୍ୱ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୦।୩: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉନି। ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଚାଇନା କରୋନା ଭାଇରସ୍‌କୁ ନେଇ ପ୍ରାରମ୍ଭିକ ସୂଚନା ଲୁଚାଇବାରୁ ଆଜି ସାରା ବିଶ୍ୱ ଏହାର ପରିଣାମ ଭୋଗୁଛି। କରୋନା ଭାଇରସ୍‌କୁ ନେଇ ଚାଇନାର ବୟାନ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଇଟାଲିରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚାଇନାରୁ ବି ଅଧିକ ରହିଥିଲା। କେବଳ ଇଟାଲିରେ ନୁହେଁ ସେହି ସମୟରେ ଆମେରିକାରେ ମଧ୍ୟ ମୃତ୍ୟୁ ସଂଖ୍ୟା ୨୦୦କୁ ଟପିସାରିଥିଲା। ଟ୍ରମ୍ପ ଏହାକୁ ଚିନି ଭାଇରସ୍‌ ବୋଲି ଆଖ୍ୟା ଦେଇଛନ୍ତି। ତେବେ ଚାଇନାର କର୍ମ ପାଇଁ ଆଜି ସାରା ବିଶ୍ୱ ଦଣ୍ଡ ଭୋଗୁଛି ବୋଲି ଟ୍ରମ୍ପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଚାଇନାରେ ଏହି ସଂକ୍ରମଣକୁ ରୋକାଯାଇପାରିଥାନ୍ତା, ଯେଉଁଠାରେ ଏହାର ଆରମ୍ଭ ହୋଇଛି। ଯଦି ଚାଇନା ଠିକ୍‌ ସମୟରେ ସୂଚନା ଦେଇଥାନ୍ତା ତେବେ ବେଳଥାଉଁ ଆମେରିକା ଉଚିତ ପଦକ୍ଷେପ ଗ୍ରହଣ କରି ଏହି ମହାମାରୀକୁ ବ୍ୟାପିବାକୁ ଦେଇ ନ ଥାନ୍ତା। ସୂଚନା ମୁତାବକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ଆମେରିକାରେ ୨୧୮ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୪ହଜାରରୁ ଊର୍ଦ୍ଧ୍ୱ ରହିଥିବା ଜଣାପଡ଼ିଛି। ଏହା ସହିତ ଆମେରିକା କରୋନା ଭାଇରସ୍‌ରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ୬ଷ୍ଠ ଦେଶରେ ପରିଣତ ହୋଇଛି।

Share