ଚାଉଳ, ଗହମ ହେର୍‌ଫେର ମାମଲା: ସରପଞ୍ଚଙ୍କ ଗିରଫ ପ୍ରତିବାଦରେ ଭାଜପାର ଶୋଭାଯାତ୍ରା, ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୧୦ା୩(ଡି.ଏନ.ଏ)- ଚାଉଳ ଓ ଗହମ ହେର୍‌ଫେର ମାମଲାରେ ପୋଲିସ ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ରବିବାର ଗିରଫ କରି କୋର୍ଟଚାଲାଣ କରିଥିଲା। ଏହାର ପ୍ରତିବାଦରେ ମଙ୍ଗଳବାର ଅପରାହ୍ନରେ ଭାଜପା ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶିବଶଙ୍କରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି, ହେର୍‌ଫେର ମାମଲାରେ ସେ ସମ୍ପୃକ୍ତ ନାହାନ୍ତି। ତେଣୁ ତାଙ୍କ ବିରୋଧରେ ହୋଇଥିବା ମାମଲା ତୁରନ୍ତ ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ ଭାଜପା ଆନ୍ଦୋଳନ କରିବ ବୋଲି ଦାବିପତ୍ରରେ ଦର୍ଶାଯାଇଛି।

ଭାଜପା ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ, ସନ୍ତୋଷ ତିଆଡ଼ି, ସମିର ନାୟକ, ମାଟିଆ ନାୟକ, ସନ୍ତୋଷ ପାଳ, ଲେଲିନ ରାଉତ, ବେଲଗୁଣ୍ଠାର ବରିଷ୍ଠ ନେତା ରଞ୍ଜନ ରାଉତ, ଅଭିମନ୍ୟୁ ଭୂୟଁା, ବିଷ୍ଣୁ ପ୍ରସାଦ ପ୍ରଧାନ, ମାନସ ଜେନା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମୁଜାଗଡ଼ ପଞ୍ଚାୟତର ଚାଉଳ ହେର୍‌ଫେର ହୋଇଥିବା ନେଇ ଗତ ଶନିବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବିଡିଓଙ୍କ ନିର୍ଦ୍ଦେଶରେ ବ୍ଲକ ଯୋଗାଣ ଅଧିକାରୀ ଘଟଣାର ତଦନ୍ତ କରିବା ପରେ ପ୍ରାୟ ୨ଲକ୍ଷ ଟଙ୍କାର ଗହମ ଓ ଚାଉଳ ହେରଫେର୍‌ ହୋଇଥିବା ଜଣାପଡ଼ିଥିଲା। ଏ ନେଇ ବିଡିଓ ସରପଞ୍ଚ, ପିଇଓ ଏବଂ ଯୋଗାଣ ସହାୟକଙ୍କ ବିରୋଧରେ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ନଂ. ୯୯/୨୦ରେ ମାମଲା ରୁଜୁ କରି ସରପଞ୍ଚଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ତଦନ୍ତ ଚଳାଇଛି ।

Share