ଚାଉଳ ଦେଲେ କ’ଣ ହେବ, ପାଣି ନାହିଁ

ସମ୍ବଲପୁର,୧୫।୫ (ବ୍ୟୁରୋ): ଚାଉଳ ଦେଲେ କ’ଣ ହେବ, ପାଣି ଦିଅ। ନ ହେଲେ କିଭଳି ଭାତ ରୋଷେଇ ହେବ । ପ୍ରଥମେ ପିଇବାକୁ ପାଣି ତା ପରେ ପେଟକୁ ଖାଇବାକୁ ଦିଅ। ବାରମ୍ବାର ସବୁ ଅଫିସକୁ ଯାଇ ଅଭିଯୋଗ କରିଛୁ। ଗୁହାରୀ କରିଛୁ। ହେଲେ କେହି ଶୁଣିଲେ ନାହିଁ। ତେଣୁ ଏବେ ଆଗ ପାଣି ଯୋଗାଅ। ତାପରେ ରାସ୍ତା ଅବରୋଧ ହଟିବ। ଶୁକ୍ରବାର ସମ୍ବଲପୁର ରଘୁନାଥଜୀଉ ମନ୍ଦିର ଛକରେ ପାଣି ପାଇଁ ରାସ୍ତା ଅବରୋଧ କରିଥିବା ମହିଳାମାନେ ପ୍ରଶାସନ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ନିକଟସ୍ଥ ବନ୍ଧପଡା, ତାଲଭଟାପଡା, ବାଲିବନ୍ଧା, କମଲିବଜାର ମହିଳାମାନେ ଗରା, ବାଲଟି ଧରି ରାସ୍ତାକୁ ଓହ୍ଲାଇଥିଲେ। ରାସ୍ତା ଉପରେ ବାଉଁଶ ଦେଇ ଅବରୋଧ କରିଥିଲେ । ଏହି ଖବର ପାଇ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଟାଉନଥାନା ଅଧିକାରୀ ରମେଶଚନ୍ଦ୍ର ଡୋରା ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏବେ ପାଣି ଟାଙ୍କର ଯୋଗାଇ ଦିଆଯିବ। ୭ ଦିନ ଭିତରେ ପାଇପ୍‌ ମରାମତି କରାଯାଇ ନିୟମିତ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

Share