Categories: ଜାତୀୟ

ଚାଓମିନ ଚଟ୍‌ନୀ ଖାଇବାରୁ ଅକାମୀ ହେଲା ଶିଶୁଙ୍କ ଫୁସ୍‌ଫୁସ୍‌

ଯମୁନାନଗର,୨୪।୬: ଯଦି ଆପଣ ଚାଓମିନ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ୍‌। ହରିୟାଣାର ଯମୁନାନଗରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଚାଓମିନ ଖାଇବା ପୂର୍ବରୁ ଥରେ ଭାବିବାକୁ ବାଧ୍ୟ ହୋଇଯିବେ। ଯମୁନାନଗରରେ ରାସ୍ତା ନିକଟରେ ଥିବା ଏକ ଦୋକାନରେ ଜଣେ ୩ ବର୍ଷର ଶିଶୁ ଚାଓମିନ ଖାଇବା ପରେ ତାଙ୍କର ଫୁସ୍‌ଫୁସ୍‌ରେ କଣା ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବାପା ମଞ୍ଜରଙ୍କ ସହ ଅରମାନ ଚାଓମିନ ଖାଇବାକୁ ଯାଇଥିବା ବେଳେ ଚାଓମିନରେ ପକାଯାଉଥିବା ଚଟ୍‌ନୀ ଖାଇ ଅସୁସ୍ଥ ହୋଇପଡିଥିଲେ। ଖାଇବା ପରେ ତାଙ୍କ ପୁରା ଶରୀର କଳା ପଡ଼ିଯିବା ସହ ରାକ୍ତଚାପ ଶୁନ୍ୟ ହୋଇଯାଇଥିଲା। ମଞ୍ଜର ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ତାଙ୍କର ଏକ୍ସରେ କରାଯିବା ପରେ ଫୁସ୍‌ଫୁସ୍‌ଟି କଣା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହେବା ସହ ଚାଓମିନ ଖାଇ ଫୁସ୍‌ଫୁସ୍‌ କଣା ହେବା ମାମଲା ପ୍ରଥମ ବୋଲି ସେ କହିଛନ୍ତି। ଏସିଟିକ ଏସିଡ ଯୋଗୁ ଅରମାନଙ୍କ ଭିତର ଅଙ୍ଗ ଜଳିଯାଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ। ତେବେ ସମୟ ଥିବା ଭିତରେ ଅରମାନଙ୍କୁ ହସ୍ପିଟାଲ ଅଣାଯିବା ପରେ ତାଙ୍କର ଅପରେଶନ୍‌ କରି ଶରୀରରେ ଚେଷ୍ଟ ଟ୍ୟୁବ୍‌ ଲଗାଯାଇଥିଲା। ହେଲେ ସେହି ସମୟରେ ଶିଶୁଟିର ୩ଥର ହାର୍ଟ କାମ କରିବା ବନ୍ଦ ହୋଇଯାଇଥିଲା। ତେବେ ୧୬ ଦିନ ଭେଣ୍ଟିଲେଟରରେ ରହିବା ପରେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି। ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଚଟ୍‌ନୀରେ ଏସିଟିକ୍‌ ଏସିଡ୍‌ର ପ୍ରୟୋଗ କରାଯାଇଥାଏ। ଯାହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଖିଲ କହିଛନ୍ତି।

Share