ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ ଅଭିଯୋଗ: ୨ ଯୁବକ ଗିରଫ

ତିହିଡ଼ି, ୨୬।୫ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ କେତେକ ଅଞ୍ଚଳର ଯୁବତୀ ଏବଂ ମହିଳାଙ୍କୁ ପଞ୍ଚାୟତସ୍ତରରେ ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ କରାଯାଉଛି। ଏ ସମ୍ପର୍କରେ ଶନିବାର ତିହିଡ଼ି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ.୨୩୦/୧୯) ରୁଜୁ କରି ରବିବାର ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଦ୍ୱୟ ହେଲେ ସିମୁଳିଆ ଥାନା ଅଲିହା ଗ୍ରାମର ଅନାଦି ବେହେରା ଏବଂ ସୋର ଥାନା ଅଧୀନ କୁରୁଡ଼ା ଗ୍ରାମର ଗୌରବ ନାୟକ। ସେମାନେ ଗୋଳାପୋଖରୀ ଛକ ନିକଟରେ ଏକ ଘରେ ନିର୍ଦ୍ଦିଷ୍ଟ ଏକ ସଂସ୍ଥା ନଁାରେ ଚାକିରି କରାଇ ଦେବାକୁ କହି ଟଙ୍କା ଆଦାୟ କରୁଥିଲେ। ଏ ସମ୍ପର୍କରେ ବଜରଙ୍ଗ ଦଳର କେତେକ କର୍ମକର୍ତ୍ତା ଜାଣିବା ପରେ ଶନିବାର ସେଠାକୁ ଯାଇଥିଲେ। ଅନାଦି ଓ ଗୌରବ କେତେକ ଯୁବତୀ ଏବଂ ମହିଳାଙ୍କୁ ବସାଇ ପଞ୍ଚାୟତସ୍ତରରେ ଚାକିରି କରାଇ ଦେବା ନଁାରେ ସେମାନଙ୍କଠାରୁ ୧୦୫୦ ଟଙ୍କା ଲେଖାଏ ଆଦାୟ କରୁଥିବା ସେମାନେ ଜାଣିବାକୁ ପାଇଥିଲେ। ବଜରଙ୍ଗ ଦଳର କର୍ମକର୍ତ୍ତା ଏ ସମ୍ପର୍କରେ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ସେହି କର୍ମକର୍ତ୍ତା ତିହିଡ଼ି ପୋଲିସକୁ ଏ ବିଷୟରେ ଜଣାଇଥିଲେ। ପୋଲିସ ଅନାଦି ଓ ଗୌରବଙ୍କୁ ଥାନାକୁ ନେଇ ପଚରାଉଚୁରା କରିଥିଲା। ବଜରଙ୍ଗ ଦଳର ଜୟପ୍ରକାଶ ପତିଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିଛି।