ଚାକିରି ପ୍ରଲୋଭନ ଦେଖାଇ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ଚାକିରି ପ୍ରଲୋଭନ ଦେଖାଇ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ବିଧବାଙ୍କୁ ଗଣବଳାତ୍କାର କରାଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତା ପୀଡିତାଙ୍କ ସହ ଅନ୍ୟ ମହିଳାମାନେ ଏକାଠି ହୋଇ ଲିଖିତ ଅଭିଯୋଗ କରିବା ପରେ ମାମଲା (ନଂ. ୨୮୮/୧୯) ରୁଜୁ କରାଯାଇଛି। ପୀଡ଼ିତାଙ୍କୁ ଡାକ୍ତରୀମାଇନା କରାଯାଇଥିବା ସବ୍‌ଇନ୍ସପେକ୍ଟର ଗଣେଶ ତ୍ରିପାଠୀ ସୂଚନ ଦେଇଛନ୍ତି।
ଗତ ୬ ତାରିଖ ସନ୍ଧ୍ୟାରେ ଖନ୍ତାପଡ଼ା ଥାନା ରାମନଗର ଗ୍ରାମର ବାପୁନୁ ସିଂ (୧୯) ଉକ୍ତ ମହିଳାଙ୍କ ଘରେ ପହଞ୍ଚି ଏକ ଚିଙ୍ଗୁଡ଼ି କମ୍ପାନୀରେ ଚାକିରି କରାଇଦେବାକୁ ପ୍ରସ୍ତାବ ଦେଇଥିଲେ। ମହିଳାଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ବାପୁନୁଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ବାପୁନୁ ଉକ୍ତ ଅଞ୍ଚଳର ତପନ ସିଂ (୨୫) ଓ କୁନ୍ଥା ସିଂ (୩୨) ନାମକ ଦୁଇ ଯୁବକଙ୍କ ସହିତ ମହିଳାଙ୍କ ପରିଚୟ କରାଇ ଚାକିରି ସମ୍ପର୍କରେ ଆଲୋଚନା କରିଥିଲେ। ମହିଳା ଜଣକ ତପନ ଓ କୁନ୍ଥାଙ୍କ ସହ ଏକ ମୋଟରସାଇକେଲ ଯୋଗେ ଯାଇଥିଲେ। ଗଡ଼ଭଙ୍ଗପଦା ପୋଖରୀଠାରେ ଯୁବକଦ୍ୱୟ ମହିଳାଙ୍କୁ ଗାଡିରୁ ଓହ୍ଲାଇ ସେଠାରେ ବଳାତ୍କାର କରିଥିଲେ। ମହିଳା ଜଣକ ଯେତେ କାକୁତିମୀନତି ହୋଇଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ଏହି ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବା ପାଇଁ ମଧ୍ୟ ସେମାନେ ଧମକ ଦେଇଥିଲେ। କୌଶଳକ୍ରମେ ମହିଳାଜଣକ ସେମାନଙ୍କ କବଳରୁ ଖସି ଆସି ରାତିରେ ଘରେ ପହଞ୍ଚିଥିଲେ। ଏହା ପରଦିନ ସେ ଗ୍ରାମସଭାରେ ତାଙ୍କ ପ୍ରତି ହୋଇଥିବା ବଳାତ୍କାର ବିଷୟରେ ପ୍ରକାଶ କରିଥିଲେ। ଗ୍ରାମସଭା ତରଫରୁ ଉଭୟ ଯୁବକଙ୍କୁ ଡକାଯାଇଥିଲା। କିନ୍ତୁ ସେମାନେ ନ ଆସିବାରୁ ମହିଳାଜଣକ ନୀଳଗିରି ଥାନାର ଆଶ୍ରୟ ନେଇଛନ୍ତି।