Categories: ଖେଳ

ଚାଙ୍ଗ୍‌ଟେଙ୍କ ସହିତ ଚୁକ୍ତି କଲା ଚେନ୍ନାଇନ ଏଫ୍‌ସି

ଚେନ୍ନାଇ, ୩୦ା୮ (ପି.ଟି.)-ଦୁଇ ଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଚେନ୍ନାଇନ ଏଫ୍‌ସି ଭାରତର ଅନ୍ତର୍ଜାତୀୟ ଖେଳାଳି ୨୨ବର୍ଷୀୟ ଓ୍ବିଙ୍ଗର ଲାଲିଆନଜୁଆଲା ଚାଙ୍ଗ୍‌ଟେଙ୍କ ସହିତ ଏକ ଦୀର୍ଘ ମିଆଦି ଚୁକ୍ତି କରିଛି। ମିଜୋରାମର ଚାଙ୍ଗ୍‌ଟେ ଏହା ପୂର୍ବରୁ ଦିଲ୍ଲୀ ଡାଇନାମୋସ ଦଳରେ ୨ ବର୍ଷ ଖେଳିଛନ୍ତି। ନିକଟରେ ନରଓ୍ବେର ଏକ ପ୍ରମୁଖ କ୍ଲବ ଭାଇକିଙ୍ଗ୍‌ ଏଫ୍‌କେ ପାଇଁ ଟ୍ରାଏଲରେ ଅଂଶଗ୍ରହଣ କରି ଫେରିଛନ୍ତି। ଦେଶର ଅନ୍ୟତମ ବଡ଼ ଫୁଟ୍‌ବଲ କ୍ଲବରେ ଯୋଗ ଦେଇଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି। ଚିଙ୍ଗ୍‌ଟେ ବର୍ତ୍ତମାନ ଭାରତୀୟ ସିନିୟର ଟିମ୍‌ ସହିତ ଗୋଆରେ ଅଛନ୍ତି। କାତାର ଓ ଓମାନ ବିପକ୍ଷ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚ ପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ଚେନ୍ନାଇନ ଏଫ୍‌ସି ମୁଖ୍ୟ କୋଚ୍‌ ଜନ୍‌ ଗ୍ରେଗୋରି କହିଛନ୍ତି, ଚାଙ୍ଗ୍‌ଟେ ଭାରତର ଅନ୍ୟତମ ପ୍ରତିଭାସମ୍ପନ୍ନ ଖେଳାଳି। କ୍ଲବ ତାଙ୍କଠାରୁ ଅନେକ କିଛି ଆଶା କରୁଛି। ‘ଜୁଆଲା’ ନାମରେ ପରିଚିତ ମିଜୋରାମର ଏହି ଖେଳାଳି ଭାରତର ଓଭୟ ୧୯ ବର୍ଷରୁ କମ୍‌ ଏବଂ ୨୩ ବର୍ଷରୁ କମ୍‌ ଫୁଟ୍‌ବଲ ଦଳରେ ପ୍ରତିନିଧିତ୍ୱ କରିସାରିଛନ୍ତି। ୨୦୧୫ ଡିସେମ୍ବରରେ ମାତ୍ର ୧୮ ବର୍ଷ ବୟସରେ ସାଫ୍‌ ଚାମ୍ପିୟନଶିପ୍‌ରେ ସେ ସିନିୟର ଦଳ ତରଫରୁ ପ୍ରଥମଥର ଖେଳିବା ସୁଯୋଗ ପାଇଥିଲେ। ୨୦୧୯-୨୦ ଆଇଏସ୍‌ଏଲ୍‌ ସିଜନ ପାଇଁ ଚେନ୍ନାଇନ ଏଫ୍‌ସି ଅହମ୍ମଦାବାଦରେ ଅଭ୍ୟାସ କରିବ।

Share