ଚାନ୍ଦବାଲିରେ ବୋଇତ ବନ୍ଦାଣ ଉତ୍ସବ

ଚାନ୍ଦବାଲି,୧୨ା୧୧(ଡି.ଏନ୍‌.ଏ.): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲାର ଉଭୟ ଚାନ୍ଦବାଲି ଓ ଧାମରା ଅଞ୍ଚଳ ମଙ୍ଗଳବାର ଉତ୍ସବମୁଖର ହୋଇଉଠିଛି। ଚାନ୍ଦବାଲି ‘ଆମ ପରମ୍ପରା’ ସଙ୍ଗଠନ ପକ୍ଷରୁ ୭ଜଣ ସାଧବ ଶନିବାର ସକାଳେ ନିଜର ପ୍ରତୀକ ବ୍ୟବସାୟିକ ସାମଗ୍ରୀନେଇ ବୋଇତରେ ଚାନ୍ଦବାଲିରୁ ଧାମରାକୁ ପ୍ରାୟ ୨୫ କିମି ଜଳଯାତ୍ରା କରିଛନ୍ତି। ସେଠାରେ ସେମାନଙ୍କୁ ‘ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି’ ପକ୍ଷରୁ ସ୍ବାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ସାମୁଦ୍ରିକ ଝଡ ‘ବୁଲ୍‌ବୁଲ୍‌’ ପ୍ରଭାବରେ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ‘ମା’ ଧାମରାଈ ଆଞ୍ଚଳିକ ବୋଇତ ବନ୍ଦାଣ କମିଟି’ ପକ୍ଷରୁ ଚଳିତ ବର୍ଷ ଧାମରାରେ ପାଳିତ ହେବାକୁଥିବା ବୋଇତ ବନ୍ଦାଣ ଉତ୍ସବକୁ ସ୍ଥଗିତ ରଖାଯାଇଛି। ‘ମା’ ଧାମରାଈ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟି’ ପକ୍ଷରୁ ଧାମରାରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଛି। ଚାନ୍ଦବାଲି ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚାନ୍ଦବାଲି ସନ୍ନିକଟ ବୈତରଣୀ ନଦୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ସକାଳେ ଅନୁଷ୍ଠିତ ହୋଇଛି।