ଚାନ୍ଦିପୁର ଆଇଟିଆରରେ ବ୍ୟବହାରିକ ପରୀକ୍ଷଣ:‘ବଂଶୀ’କୁ ଭେଦ କଲା ‘କ୍ୟୁଆର୍‌ଏସ୍‌ଏମ୍‌’

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜ(ଆଇଟିଆର୍‌)ରୁ ଭ୍ରାମ୍ୟମାଣ ଟ୍ରକ ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା ‘କ୍ୟୁଆର୍‌ଏସ୍‌ଏମ୍‌’ (କୁଇକ୍‌ ରିଆକଶନ୍‌ ସର୍ଫେସ୍‌-ଟୁ-ଏୟାର ମିଶାଇଲ୍‌)ର ସଫଳ ପରୀକ୍ଷଣ କରାଯାଇଛି। ରବିବାର ପୂର୍ବାହ୍ନ ୧୦ଟା ୫୮ ମିନିଟ୍‌ରେ ୧ନଂ. ଲଞ୍ଚପ୍ୟାଡ୍‌ରୁ ‘ବଂଶୀ’ ନାମକ କ୍ଷେପଣାସ୍ତ୍ରକୁ ପ୍ରଥମେ ଆକାଶମାର୍ଗକୁ ଛଡ଼ା ଯାଇଥିଲା। ଏହାକୁ ଭେଦ କରିବା ପାଇଁ ୧୧ଟା ୫ମିନିଟ୍‌ ସମୟରେ ୩ନଂ. ଲଞ୍ଚ ପ୍ୟାଡ୍‌ରୁ କ୍ୟୁଆର୍‌ଏସ୍‌ଏମ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ‘କ୍ୟୁଆର୍‌ଏସ୍‌ଏମ୍‌’ ଲକ୍ଷ୍ୟଭେଦ କରିଥିଲା। ସେହିପରି ଅପରାହ୍ନରେ ଏହି କ୍ଷେପଣାସ୍ତ୍ରର ଦ୍ୱିତୀୟଥର ପରୀକ୍ଷଣ କରାଯାଇଥିଲା। ଅପରାହ୍ନ ୩ଟା ୨୫ ମିନିଟ୍‌ରେ ୧ ନମ୍ବର ଲଞ୍ଚପ୍ୟାଡରୁ ‘ବଂଶୀ’ କ୍ଷେପଣାସ୍ତ୍ରକୁ ଆକାଶମାର୍ଗକୁ ଛଡ଼ାଯାଇ ଏହାର ୫ ମିନିଟ୍‌ ପରେ ୩ ନମ୍ବର ଲଞ୍ଚପ୍ୟାଡରୁ ‘କ୍ୟୁଆର୍‌ଏସ୍‌ଏମ୍‌’କୁ ନିକ୍ଷେପ କରାଯାଇଥିଲା। ଏହା ମଧ୍ୟ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ବେଳେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍‌ଡିଓ)ର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।
‘କ୍ୟୁଆର୍‌ଏସ୍‌ଏମ୍‌’ ୨୫ରୁ ୩୦ କି.ମି. ଦୂରତା ଯାଏ ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିବା କ୍ଷମତା ରଖିଛି। ଭାରତୀୟ ସେନାର ସାମରିକ କ୍ଷମତା ବଢାଇବାରେ ଏହା ଯଥେଷ୍ଟ ସହାୟକ ହୋଇପାରିବ ବୋଲି ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ୨୦୧୭ ଜୁନ୍‌ ୪ରେ କରାଯାଇଥିଲା। ୨୦୧୭ ଜୁଲାଇ ୩ରେ ୨ୟ ଏବଂ ୨୦୧୯ ଫେବୃୟାରୀ ୨୬ ତାରିଖରେ ୩ୟ ପରୀକ୍ଷଣ ହୋଇଥିଲା। ଡିଆର୍‌ଡିଓ ପକ୍ଷରୁ ନିର୍ମିତ ଏହି କ୍ଷେପଣାସ୍ତ୍ର ଲଞ୍ଚ୍‌ପ୍ୟାଡ ବିନା ଟ୍ରକ ଭଳି ଯାନରୁ ସହଜରେ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇପାରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

Share