ଚାନ୍ଦିପୁର ବେଳାଭୂମିରେ ସଫେଇ: ଜିଲାପାଳ, ଏସ୍‌ପି ଓ ଛାତ୍ରୀଛାତ୍ର ସାମିଲ

ବାଲେଶ୍ୱର ଅଫିସ, ୨୩।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ବର୍ଣ୍ଣିମ ବେଳାଭୂମିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଓ ହୋଟେଲ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହର ସମେତ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକର ପ୍ରାୟ ୧ହଜାର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସେମାନଙ୍କ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, କ୍ରୀଡ଼ା ଛାତ୍ରାବାସ, ଦୀନଦୟାଲ ଗ୍ରାମୀଣ କୌଶଳ କେନ୍ଦ୍ରର ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ ସଙ୍ଗଠନ ବାଲେଶ୍ୱର ସାମାଜିକ ସେବା ସମିତିର ସଦସ୍ୟାସଦସ୍ୟଗଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସଫେଇ କରିଥିଲେ।
ଛାତ୍ରୀଛାତ୍ରମାନଙ୍କୁ ସଫେଇ ସକାଶେ ହାତରେ ଗ୍ଲୋଭସ୍‌ ଲଗାଇ ପରିତ୍ୟକ୍ତ ବସ୍ତୁ ଉଠାଇବାକୁ ସଫେଇ ପୂର୍ବରୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ନିୟୋଜିତ ପ୍ରାୟ ୨୦ଜଣ କ୍ରୀଡ଼ା ଶିକ୍ଷକ ୧୦ଟି ଦଳରେ ଛାତ୍ରୀଛାତ୍ରଙ୍କୁ ବିଭକ୍ତ କରି ବେଳାଭୂମିରେ ବୁଲି ଜରି, କାଗଜ, ଶୋଲ, ପ୍ଲାଷ୍ଟିକ ପାଉଚ୍‌ ଖୋଳ, ପଇଡ଼ ଖୋଳ, ଥର୍ମୋକୁଲ, ଛିଣ୍ଡା ମାଛଧରା ଜାଲ, କାଠିକୁଟା ଆଦିକୁ ସଫେଇ କରି ଏକ ସ୍ଥାନରେ ଜମା କରିଥିଲେ। କାର୍ଯ୍ୟରେ ସହଯୋଗ ପାଇଁ ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବିକୁ କାର୍ଯ୍ୟରେ ଲଗାଯାଇଥିଲା। ଏସବୁ କାର୍ଯ୍ୟକୁ ତଦାରଖ ପାଇଁ ଜିଲାପାଳଙ୍କ ସମେତ ଏସ୍‌ପି ବି. ଯୁଗଳ କିଶୋର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ, ଜିଲା ମଙ୍ଗଳ ଅଧିକାରୀ ରାଜୀବଲୋଚନ ସାହୁ, ଜିଲା କ୍ରୀଡ଼ାଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ, ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ, ଜିଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆଙ୍କ ସମେତ ହୋଟେଲ ଆସୋସିଏଶନ ତରଫରୁ ବିପ୍ଳବ ମହାନ୍ତି, ଉଜ୍ଜ୍ୱଳ ମହାନ୍ତି ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ଗାଇଡ଼ କରିଥିଲେ। ସଫେଇରେ ସଂଗୃହୀତ ବର୍ଜ୍ୟବସ୍ତୁକୁ ଗୋଟିଏ ସ୍ଥାନରେ ସଂଗ୍ରହ କରି ପରେ ତାକୁ ନିଆଁରେ ପୋଡ଼ି ଦିଆଯାଇଥିଲା।