Categories: ଫୁରସତ

ଚା’ର ମଜା ବଢାଇବ ଏହି ଟି’ପଟ୍‌

ଶୀତଦିନ ସକାଳେ ଚା’ ପିଇବାର ମଜା ଅଲଗା। ଆଉ ଯଦି ଟି’ ଆସେସରିଜ୍‌ ଖାସ୍‌ ହୋଇଥାଏ ତେବେ ସୌଖୀନରେ ବସି ଚା’ ପିଇବାରେ ଯେଉଁ ନିଆରା ଅନୁଭୂତି ମିଳିବ ତାହା ହୋଇଯିବ ଅବର୍ଣ୍ଣନୀୟ। ଠିକ୍‌ ଯେମିତି ଏହି ସବୁ ଟି’ପଟ୍‌। ଏଗୁଡିକ ଯେମିତି ଅଜବ ସେମିତି ଆକର୍ଷକ ଓ ସ୍ବତନ୍ତ୍ର। ତେଣୁ ଏଥିରୁ ଚା’ ଢାଳି ପିଇବାର ମଜା କିଏ ବା ନ ନେବାକୁ ଚାହିଁବେ…

ଅକ୍ଟୋପସ୍‌ ଟି’ପଟ୍‌- ଆଠଟି ଗୋଡ ଥିବା ଅକ୍ଟୋପସ୍‌ ଏକ ଅଜବ ପ୍ରାଣୀ ଅଟେ। ତେଣୁ ଏହି ଡିଜାଇନ୍‌ର ଟି’ପଟ୍‌ ବି ବହୁତ ଅଜବ ସହ ୟୁନିକ୍‌ ଲାଗେ। ଏହାର ଗୋଡକୁ କେବେ ଟି’ପଟ୍‌ର ହ୍ୟାଣ୍ଡେଲ ତ କେବେ କଭରଭାବେ ବ୍ୟବହାର କରାଯାଇଥାଏ।
ଅଜବ ଟି’ ପଟ୍‌- ସାଲ୍‌ଭାଡର୍‌ ଦାଲି ହେଉଛନ୍ତି ଜଣେ ସ୍ପେନୀୟ ଲେଖକ,ଚିତ୍ରକର, ଡିଜାଇନର୍‌ ଓ ଚଳଚ୍ଚିତ୍ର ନିର୍ମାତା। ସେ ତାଙ୍କର ଅଜବ ପେଣ୍ଟିଂ ଓ ଆର୍ଟ ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। ତେବେ ତାଙ୍କ ଟି’ପଟ୍‌ ଡିଜାଇନ୍‌ଗୁଡିକ ବହୁତ ଚର୍ଚ୍ଚିତ। ସେଗୁଡିକ ବହୁତ ଅଜବ। ସାଧାରଣ ଟି’ପଟ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏସବୁକୁ ଦେଖିଲେ ତ ପ୍ରଥମ ନଜରରେ ଜାଣି ହେବନି ଏହା ଟି’ପଟ୍‌ ବୋଲି। ଆଉ ତା ଭିତରେ ଏତେ ସୃଜନଶୀଳତା ଭରିରହିଥାଏ ଯେ, ଦେଖଣାହାରୀଙ୍କ ନଜର ତା’ଠୁ ହଟି ନ ଥାଏ।

ମର୍ଲିନ ମୋନରୋ ଟି’ପଟ୍‌- ଈଷତ୍‌ ଧଳାରଙ୍ଗର ଏହି ଟି’ପଟ୍‌ର ଡିଜାଇନ୍‌ ବହୁତ ସିମ୍ପଲ୍‌। ହେଲେ ଏଥିରେ ଥିବା ଗୋଟିଏ ବିଶେଷତ୍ୱକୁ ଦେଖିଲେ ମନେପଡିଯିବ ମର୍ଲିନ୍‌ ମୋନରୋଙ୍କ କଥା। ସେ ହେଉଛି ଲାଲରଙ୍ଗର ଆକର୍ଷକ ଓଠ ସାଙ୍ଗକୁ ପାଶର୍‌ବରେ ଥିବା ସୁନ୍ଦର କଳାଜାଇ। ସେଥିପାଇଁ ଏହାକୁ ମର୍ଲିନ ମୋନରୋ ଟି’ପଟ୍‌ କୁହାଯାଉଛି।

ଆର୍ଟିଷ୍ଟିକ୍‌ ଟି’ପଟ୍‌- ଏହି ଟି’ପଟ୍‌ ଚିତ୍ରକଳାକୁ ଆଧାର କରି କରାଯାଇଛି। ତେଣୁ ଏଥିରେ ପେଣ୍ଟ ବ୍ରଶ୍‌, କଲର୍‌ ଆଦିର ଝଲକ ଦେଖିବାକୁ ମିଳେ। ଏଥିରେ ଗୋଟିଏ ଟି’ପଟ୍‌ ତ ଦେଖିବାକୁ ସମ୍ପୂର୍ଣ୍ଣଭାବେ କଲର୍‌ ବ୍ରଶ ଭଳି।

ମେଶିନ୍‌ ଟି’ପଟ୍‌- ଯାନ୍ତ୍ରିକ ଉପକରଣର ରୂପ ଦିଆଯାଇଛି ଏହି ଟି’ପଟ୍‌ଗୁଡିକୁ। କେଉଁ ଟି’ପଟ୍‌ ଦେଖିବାକୁ ସିଲେଇ ମେଶିନ, ଟେଲିଫୋନ୍‌ ଭଳି ତ କେଉଁଟି ସାଣ୍ଡଓ୍ବିଚ୍‌ ମେକର୍‌, ଟାଇପ୍‌ ରାଇଟର୍‌ ପରି। ଏସବୁ ଟି’ପଟ୍‌ରୁ ଚା’ ଢାଳିବାବେଳେ ଘରକୁ ଆସିଥିବା ଅତିଥି ବି ଚକିତ ହୋଇଯିବେ।

ଭ୍ୟାନ୍‌ ପରି ଟି’ପଟ୍‌- ୬୦ ଦଶକରେ ଭିଡବ୍ଲ୍ୟୁ ଭ୍ୟାନ୍‌ର ବେଶ୍‌ ଲୋକପ୍ରିୟତା ଥିଲା। ଏବେବି ଏହାର ଲୋକପ୍ରିୟତା କମିନି। ସେଥିପାଇଁ ତ ଟି’ପଟ୍‌ରେ ବି ଏହାକୁ ରୂପ ଦିଆଯାଇଛି।

ଫୁଲ ଆକାରର ଟି’ପଟ୍‌- ଏହି ଟି’ପଟ୍‌ ଦେଖିବାକୁ ପୂରାପୂରି ଫୁଲ ଭଳି। ତେଣୁ ଏହାକୁ ଦେଖିଲେ ଲାଗିବ ଏହା କୌଣସି ହୋମ୍‌ ଡେକୋର୍‌ ଆଇଟମ୍‌ ବୋଲି।

ମୋନାଲିସା ଟି’ପଟ୍‌- ଲିଓନାର୍ଡୋ ଦା ଭିନ୍ସିଙ୍କର ବହୁ ପ୍ରସିଦ୍ଧ ପେଣ୍ଟିଂ ମୋନାଲିସା ବି ଟି’ପଟ୍‌ର ରୂପ ନେଇଛି। ସେ ପୁଣି ବିଭିନ୍ନ ଢଙ୍ଗରେ। ଏହି ପେଣ୍ଟିଂକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ଉପହାର ହେବ।

Share