ଚାଲାଣବେଳେ ପୋଲିସ ଚଢ଼ାଉ: ସରକାରୀ ବସ୍‌ରୁ ୧୨ ଯୁବତୀ, ୫ ନାବାଳିକା ଉଦ୍ଧାର, ଦଲାଲ ଗିରଫ

ଜୟପୁର, ୩୧ା୧୦ (ନି.ପ୍ର.): ନବରଙ୍ଗପୁର ଜିଲା ପାପଡାହାଣ୍ଡି, ରାଇଘର, ନୂଆକୋଟି ଅଞ୍ଚଳର ୧୨ ଯୁବତୀ ଓ ୫ ନାବାଳିକାକୁ ରାଇଘରଠାରୁ ବିଶାଖାପାଟଣା ଯାଉଥିବା ଓଏସ୍‌ଏସ୍‌ଆରଟିସି ବସ୍‌ରେ ଗୁରୁବାର ଚାଲାଣ କରାଯାଉଥିଲା। ଏ ନେଇ ଜୟପୁର ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧିଙ୍କୁ ଖବର ମିଳିବା ପରେ ଏକ ଟିମ୍‌ ଉକ୍ତ ବସ୍‌ ଉପରେ ଚଢାଉକରି ସମସ୍ତ ଯୁବତୀ ଓ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ଚାଲାଣ କରୁଥିବା ଦଲାଲାକୁ ମଧ୍ୟ ପୋଲିସ ଗିରଫ କରିଛି। ସେ ହେଲେ ନବରଙ୍ଗପୁର ଜିଲା ନୁଆକୋଟି ଗ୍ରାମର ସୁବାଷ ଚନ୍ଦ୍ର ହରିଜନ। ଗୁରୁବାର ନୂତନଭାବେ ଦାୟିତ୍ୱ ନେଇଥିବା ଏସ୍‌ଡିପିଓ ବରୁଣ ଗୁନ୍ଥୁପାଲ୍ଲି ଏ ନେଇ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି।
ଅନୈତିକ କାଯ୍ୟ ପାଇଁ ସେମାନଙ୍କୁ ଚାଲାଣ କରାଯାଉଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏ ନେଇ ପୋଲିସ କେସ୍‌ ନଂ. ୨୭୯/୧୯ ମାମଲା ରୁଜୁ କରିଛି। ସିଡବ୍ଲ୍ୟୁସି ସହ ଆଲୋଚନା ପରେ ଉକ୍ତ ଯୁବତୀ ଓ ନାବାଳିିକାଙ୍କୁ ପରିବାର ଲୋକଙ୍କୁ ଡକାଇ ହସ୍ତାନ୍ତର କରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Share