ଚାଲିଛି ବେଆଇନ ପଥର ଫୁଟା: ଦୁର୍ଘଟଣା ପରେ ଚଢ଼ାଉ, ୬ ଗିରଫ

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଅନେକ ପଥର କ୍ୱାରୀ ବିଭିନ୍ନ କାରଣ ଯୋଗୁ ନିଲାମ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆ ବେନିୟମ ଭାବେ ପାହାଡ଼ରୁ ପଥର ଫୁଟାଇ ଚୋରାରେ ବିକ୍ରି କରୁଛନ୍ତି। ଏହାକୁ କେତେଜଣ ଅସାଧୁ ସରକାରୀ କର୍ମଚାରୀ ସହଯୋଗ କରୁଛନ୍ତି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ କ୍ଷତି ହେଉଥିବାବେଳେ ମାଫିଆ ମାଲାମାଲ ହେଉଛନ୍ତି। ପଥର ଫୁଟାଇବାରେ ବେନିୟମ ଭାବେ ଡିଟୋନେଟର ବ୍ୟବହାର ହେଉଛି। ଆସିକା ନିକଟସ୍ଥ ମାଗୁଡ଼ା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଡ଼ିଟୋନେଟର ଫୁଟି ୨ ଛାତ୍ର ଆହତ ହୋଇଥିଲା। ଏହାପରେ ଜିଲା ପୋଲିସ ଓ ପ୍ରଶାସନ ତପତ୍ର ହୋଇ ବେନିୟମ ଡ଼ିଟୋନେଟର ମହଜୁଦ୍‌କାରୀ ଓ ବ୍ୟବହାରକାରୀଙ୍କୁ ଗିରଫ କରିବାକୁ ଯୋଜନା କରିଥିଲେ। ତାରସିଂ ପୋଲିସ ରବିବାର ଅପରାହ୍ନରେ ଡ଼ିଟୋନେଟର ବ୍ୟବହାର କରି ବେନିୟମ ପଥର ଫୁଟାଇବା ଅଭିଯୋଗରେ ସମରବନ୍ଧରୁ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର କୁମାର ପଟ୍ଟନାୟକ, ଅରୁଣ ବିଷୋୟୀ, ବାଳକୃଷ୍ଣ ନାୟକ, ସରୋଜ ରାଉତ ଓ ଟୁଟୁ ରାଉତ। ଗିରଫ ଅଭିଯୁକ୍ତମାନଙ୍କୁ ସୋମବାର ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ୧୭୫ ଡିଟୋନେଟର, ୧୦୦ କେଜି ୟୁରିଆ ସାର, ଗୋଟିଏ ଟ୍ରାକ୍ଟର ସହ କମ୍ପ୍ରେସର, ଡ୍ରିଲ୍‌ ମେଶିନ, ୧୮ ଲୁହା ରଡ଼ ଜବତ କରାଯାଇଛି। ସୋମବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଭଞ୍ଜନଗର ଏସ୍‌ଡ଼ିପିଓ ଶୁଭ୍ରାଶୁଂ ମିଶ୍ର ଏହି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସମରବନ୍ଧ ଅଞ୍ଚଳରେ ଏକ ପଥର କ୍ୱାରୀରେ ବେଆଇନ ଭାବେ ପଥର ଫୁଟା ଚାଲିଥିବା ଖବର ପାଇ ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଥିଲେ।

Share