ଈପ୍ସିତା ମହାନ୍ତି
ଭାରତୀୟ ଗ୍ରନ୍ଥଗୁଡ଼ିକରେ ଆଜିର ଯୁଗକୁ କଳିଯୁଗ ବୋଲି କୁହାଯାଇଛି। ହେଲେ ବିଭିନ୍ନ ଅନୁସନ୍ଧାନାତ୍ମକ ତଥ୍ୟ କହୁଛି ଆଜିର ଯୁଗ ହେଉଛି ଭେଜାଲ ବା ଅପମିଶ୍ରଣର ଯୁଗ! ଏହି ଭେଜାଲ ବା ଅପମିଶ୍ରଣ କାର୍ଯ୍ୟ ପାଇଁ ଭାରତ ବିଶ୍ୱରେ ଏକ ଅପଖ୍ୟାତି ମୁଣ୍ଡାଇବାକୁ ଯାଉଅଛି। ଏଥିରେ ପରିବର୍ତ୍ତନ ନ ଆସିଲେ; ନକଲି, ଅପମିଶ୍ରିତ ଜିନିଷ ତିଆରି କରିବାରେ ଭାରତ ବିଶ୍ବ ବିଜେତା ବନିଯିବ। ଏହି ବିଷୟକୁ ଯଦିଓ ଆମେ ଗୁରୁତର ସହ ନେଇନାହୁଁ କିନ୍ତୁ ଏହା ହେଉଛି ଆମ ସମସ୍ତଙ୍କ ଜୀବନ ସହ ଜଡ଼ିତ ଅନ୍ୟତମ ମହତ୍ତ୍ବପୂର୍ଣ୍ଣ ବିଷୟ।
ଆମ ବ୍ୟବସ୍ଥାକୁ ଏହି ଭେଜାଲ ବା ଅପମିଶ୍ରଣର ପରଳ ଏକ ଆସ୍ତରଣ ଭଳି ଘୋଡ଼ାଇ ଦେଲାଣି। ଭାରତ ସରକାରଙ୍କ ଖାଉଟି ମନ୍ତ୍ରଣାଳୟର ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ୱାନ ହିଁ ଏହି ନକଲି କାରବାର ବା ଅପମିଶ୍ରଣର ଶିକାର ହୋଇଥିଲେ। ପାଶ୍ୱାନ ଏକଦା ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ଅନୌପଚାରିକ ଭାବେ ରୋଷେଇଘର ସହ ଜଡ଼ିତ ଏକ ମହତ୍ତ୍ବପୂର୍ଣ୍ଣ ଦିଗ ଉପରେ ଲୋକଙ୍କୁ ଜଣାଇଥିଲେ। ତାଙ୍କ କହିବା ଅନୁସାରେ, ସାଲାଡ଼ ତିଆରି ପାଇଁ ନିଜର ଜଣେ ଘରୋଇ କର୍ମଚାରୀ ଦିଲ୍ଲୀସ୍ଥିତ ଖାନ୍ ବଜାରର ଏକ ପ୍ରତିଷ୍ଠିତ ଦୋକାନରୁ କିଲୋ ପ୍ରତି ୪୨୦ଟଙ୍କା ଦରରେ କିଛି ସେଓ କିଣି ଆଣିଥିଲେ। ସେଓଗୁଡ଼ିକ ଖାଇବା ପୂର୍ବରୁ ଏକାଧିକ ବାର ଧୋଇଥିଲେ ମଧ୍ୟ ଏହାର ଚମକ ଯାଇ ନ ଥିଲା। ଫଳରେ ସେଓର ଉପରି ଭାଗକୁ ଛୁରି ସାହାଯ୍ୟରେ କୋରିବାରୁ ତାହା ଉପରୁ ମହମର ମୋଟା ଆସ୍ତରଣ ବାହାରିଥିଲା। ତେଣୁ ବଜାରରୁ ଯେକୌଣସି ଫଳ ଓ ପନିପରିବା କିଣି ଘରକୁ ନେବା କ୍ଷଣି ତାହାକୁ ଭଲଭାବେ ଧୋଇବା ପରେ ହିଁ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପାଶ୍ୱାନ ଏହି ଅବସରରେ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଯେହେତୁ ଏହି ଘଟଣା ସହ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜଡ଼ିତ ଥିଲେ, ତେଣୁ ଉକ୍ତ ଦୋକାନ ଓ ଦୋକାନୀ ବିରୋଧରେ ସହସା କାର୍ଯ୍ୟାନୁଷ୍ଠାନ ହୋଇଥିଲା। ହେଲେ ସାଧାରଣ ଲୋକଙ୍କ ସହ ଏଭଳି ଘଟଣା ପ୍ରତ୍ୟହ ଘଟୁଛି। ଏହି ନକଲି, ଭେଜାଲ ବା ଅପମିଶ୍ରଣର ମହାମାରୀ କେବଳ ଦିଲ୍ଲୀ ଅଞ୍ଚଳରେ ସୀମିତ ହୋଇ ରହିନାହିଁ ବରଂ ଦେଶର କୋଣ ଅନୁକୋଣକୁ ଏହା ବ୍ୟାପି ଚାଲିଛି।
ସେଓ ଉପରେ ସାଧାରଣତଃ ଫୁଡ୍ ଗ୍ରେଡ୍ ମହମର ପ୍ରଲେପ ଦିଆଯାଇଥାଏ। ଯାହା ଆଇନସମ୍ମତ ଓ ଖାଇବାଯୋଗ୍ୟ,କିନ୍ତୁ ଏହାର ମାତ୍ରା ବଢ଼ିଗଲେ ଆମ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ସମ୍ପ୍ରତି ପ୍ରାକୃତିକ ମହମ ବଦଳରେ ବହୁଳ ମାତ୍ରାରେ କୃତ୍ରିମ ମହମ ବ୍ୟବହୃତ ହେଉଛି। ସେହିଭଳି ସବୁଜ ପନିପରିବାକୁ ସତେଜ ରଖିବା ପାଇଁ ସବୁଜ ରଙ୍ଗର ଏକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ, ଯାହା କର୍କଟ ରୋଗ କାରକ । ଫଳ ଓ ପନିପରିବାରେ ଅକ୍ସିଟୋସିନ୍ ନାମକ ଏକ ହରମୋନ ପ୍ରୟୋଗ ହେଉଅଛି। ଏହା ହୃଦୟ ସମ୍ପର୍କିତ ବିଭିନ୍ନ ରୋଗର କାରଣ ସାଜୁଛି। ଫଳକୁ ଶୀଘ୍ର ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଟ୍ ନାମକ ରାସାୟନିକ ପଦାର୍ଥକୁ ବ୍ୟବହାର କରାଯାଉଛି। ଏହାଦ୍ୱାରା ମୁଣ୍ଡବିନ୍ଧା, ମୁଣ୍ଡବୁଲା, ଅସ୍ଥିରତା ଭଳି ସମସ୍ୟା ଦେଖାଦିଏ। ହରଡ ଡାଲିରେ ମେଟାନିଲ୍ ୟେଲୋ ନାମକ ଏକ ରଙ୍ଗ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି। ଏହା ଆଇନସିଦ୍ଧ ନୁହେଁ ତଥାପି ଏହି ରଙ୍ଗ ବ୍ୟବହାର ହେଉଛି। ଏହା ଆମ ସ୍ନାୟୁତନ୍ତ୍ରକୁ କ୍ଷତି ପହଞ୍ଚାଏ। ଗହମ ଭଳି ଖାଦ୍ୟଶସ୍ୟରେ ଏର୍ଗଟ୍ ନାମକ (ଫଙ୍ଗସ୍)କବକ ଲାଗିଥାଏ। ଏଥିରେ ଆମେ ରୋଗାକ୍ରାନ୍ତ ହେବାର ସମ୍ଭାବନା ରହିଛି। ସେହିଭଳି ମସଲା ଜାତୀୟ ଦ୍ରବ୍ୟ ହଳଦୀରେ ମେଟାନିଲ୍ ୟେଲୋ ରଙ୍ଗ ଓ ଲାଲ ଲଙ୍କାରେ ରେଡ୍ ଅକ୍ସାଇଡ୍ ଭଳି କର୍କଟ କାରକ ରଙ୍ଗ ବ୍ୟବହାର ହେଉଅଛି । ଭାରତରେ ଏବେ ବିଶୁଦ୍ଧ ଦୁଗ୍ଧ ବି ମିଳୁନାହିଁ। କେବଳ ଜଳ ନୁହେଁ ଡିଟରଜେଣ୍ଟ ଓ ୟୁରିଆ ଭଳି ଦ୍ରବ୍ୟ ମିଶାଇ ଦୁଗ୍ଧକୁ ବିଷାକ୍ତ ଓ ଅଶୁଦ୍ଧ କରାଯାଉଛି। ଆଜି ପନିର ଓ ଦହିର ବି ଅବସ୍ଥା ଏହିଭଳି। ତେଲ, ଘିଅ, ସସ୍, ମସଲାଗୁଣ୍ଡ, ବିଭିନ୍ନ ପାନମସଲା, ଗୁଟ୍ଖା ଆଦିରେ ମଧ୍ୟ ଅପମିଶ୍ରଣ ବୃଦ୍ଧି ପାଇବାରେ ଲାଗିଛି। ପ୍ୟାକେଜ୍ଡ ପାଣିର ଶୁଦ୍ଧତା ପ୍ରତି ବି ପ୍ରଶ୍ନ ଉଠୁଛି। ଭଲ ମାଛ ଅବା ମାଂସ ମଧ୍ୟ ବଜାରରୁ ମିଳୁନାହିଁ। ପ୍ଲାଷ୍ଟିକ ଚାଉଳ ଭଳି କିଛି ଦିନ ତଳେ ପ୍ଲାଷ୍ଟିକ ଅଣ୍ଡାର ଖବର ଶୁଣିବାକୁ ମିଳିଥିଲା।
ଭାରତୀୟମାନେ ନିଜକୁ ବଡ଼ ଧାର୍ମିକ ବୋଲି କହିବାକୁ ପଛାନ୍ତି ନାହିଁ। ଆମର ଏଠି ଶୁଦ୍ଧ ବିଚାର ଓ ଆଚରଣକୁ ଅଧିକ ପ୍ରାଥମିକତା ଦିଆଯାଇଥାଏ। ମନ୍ଦିରକୁ ଗଲାବେଳେ ଶରୀର ସହ ମନର ଶୁଦ୍ଧତା ପ୍ରତି ଧ୍ୟାନଦେବା ଆବଶ୍ୟକ ବୋଲି କୁହାଯାଇଥାଏ। ପୁଣି ମିଥ୍ୟାକୁ ପାପ ରୂପେ ବିଚାର କରାଯାଇଥାଏ। କିନ୍ତୁ ଏଠାରେ ସ୍ବୟଂ ଭଗବାନ ବି ଆଜି ଅପମିଶ୍ରଣରୁ ମୁକ୍ତ ହୋଇ ପାରିନାହାନ୍ତି।
ନିକଟ ଅତୀତରେ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରର ଶିବଲିଙ୍ଗ ଉପରେ ଢଳା ଯାଉଥିବା ଦୁଗ୍ଧର ନମୁନା ଯାଞ୍ଚ କରିବାରୁ ସେଥିରେ ୯୮.୫ ପ୍ରତିଶତ ଜଳ ରହିଥିବା ଜଣାପଡିଥିଲା। ମନ୍ଦିର ବାହାରେ ଏହି ଅପମିଶ୍ରିତ ଦୁଗ୍ଧକୁ ଲିଟର ପ୍ରତି ୧ଶହ ଟଙ୍କା ଦରରେ ଭକ୍ତଙ୍କୁ ବିକ୍ରି କରାଯାଉଥିଲା। ତା’ମାନେ ଅପମିଶ୍ରଣକାରୀ ଏବେ ଧର୍ମକୁ ବି ଛାଡ଼ିନାହାନ୍ତି।
ଅପମିଶ୍ରଣକାରୀଙ୍କୁ ୬ମାସରୁ ଆରମ୍ଭ କରି ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ଆମ ଦେଶର ଆଇନରେ ବ୍ୟବସ୍ଥା ରହିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ନିୟମିତ ଖାଦ୍ୟ ନମୁନା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ପାଇଁ ବ୍ୟବସ୍ଥା କରିଛି। ଏଥିପାଇଁ ୨୦୧୮ରୁ ଭ୍ରାମ୍ୟମାଣ ପରୀକ୍ଷାଗାରର ବ୍ୟବସ୍ଥା ବି ହୋଇଛି। ପୁଣି ଏହି ପ୍ରାଧିକରଣ ଏଭଳି ବ୍ୟକ୍ତିଙ୍କ ପାଇଁ ୧୦ଲକ୍ଷ ଟଙ୍କା ଜରିମାନା ରଖାଯିବାକୁ ପ୍ରସ୍ତାବ ଦେଇଛି। ଏଥିପାଇଁ ଅବଶ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଭାରତରେ ନକଲ କରି ପାସ୍ କରୁଥିବା ଛାତ୍ର ବି ରହିଛନ୍ତି। ଶତ ପ୍ରତିଶତ ଶୁଦ୍ଧତାର ଗ୍ୟାରେଣ୍ଟି ଦେଇ ନକଲି, ଭେଜାଲ ବା ଅପମିଶ୍ରିତ ଜିନିଷ ବିକୁଥିବା ବେପାରୀ ବି ରହିଛନ୍ତି। ଜନତାଙ୍କୁ ପ୍ରତିଶ୍ରୁତି ଦେଇ ଭୁଲି ଯାଉଥିବା ନେତା ବି ରହିଛନ୍ତି। ଆଇନକାନୁନ ଓ ନୀତିନିୟମକୁ ହେୟଜ୍ଞାନ କରି ଚାଲିଥିବା ଭ୍ରଷ୍ଟ ଅଧିକାରୀ ବି ରହିଛନ୍ତି। ଏସବୁ ଦୃଷ୍ଟିରୁ ବିବେଚନା କଲେ ମନେହୁଏ, ଅପମିଶ୍ରଣକାରୀଙ୍କୁ କୌଣସି ଆଇନ କେବେହେଲେ ଦୂର କରିପାରିବ ନାହିଁ। କୌଣସି ନୂତନ କୌଶଳ ଆବିଷ୍କାର କରିବା ଯେ ଆବଶ୍ୟକ ରହିଛି, ତାହା ବି ଲାଗୁନାହିଁ। ଏଥିପାଇଁ କେବଳ ଟିକିଏ ନୈତିକତା ଓ ସଚ୍ଚୋଟପଣ ଆବଶ୍ୟକ,ଯାହା ଆଜି ଆମ ଆଖପାଖରେ ଅଭାବ। ତେଣୁ ଏହି ବିଷୟରେ ସତର୍କ ଓ ସଚେତନ ରହିବା ହିଁ ଆମ ପାଇଁ ଶ୍ରେୟସ୍କର ହେବ।
୨୦୧୯ରେ ଭାରତର ଖାଉଟି ମନ୍ତ୍ରଣାଳୟ ପକ୍ଷରୁ ଦେଶର ୯ଟି ରାଜ୍ୟର ଗ୍ରାମାଞ୍ଚଳରେ ହୋଇଥିବା ସର୍ବେକ୍ଷଣର ତଥ୍ୟ ଅନୁସାରେ ୫୮ପ୍ରତିଶତ କୃଷିଜାତ ଦ୍ରବ୍ୟ, ୩୮ପ୍ରତିଶତ ଔଷଧୀୟ ସାମଗ୍ରୀ ଓ ୩୬ପ୍ରତିଶତ ପ୍ରସାଧନ ସାମଗ୍ରୀ ନକଲି, ଭେଜାଲ ବା ଅପମିଶ୍ରିତ ରହିଥିଲା। ପୁଣି ଗାଁ ଗହଳିରେ ବିକ୍ରି ହେଉଥିବା ୫୦ପ୍ରତିଶତ ଜିନିଷ ନକଲି, ଭେଜାଲ ବା ଅପମିଶ୍ରିତ ବୋଲି ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି ୬୦ପ୍ରତିଶତ ଲୋକେ ଜାଣିଶୁଣି ଏସବୁ ନକଲି ଜିନିଷ କିଣୁଥିବାବେଳେ ୪୦ପ୍ରତିଶତ ଲୋକ ଅଜାଣତରେ ଏପରି ଜିନିଷ କିଣିଥାନ୍ତି ବୋଲି ପ୍ରକାଶ କରିଛନ୍ତି। ପ୍ରକୃତରେ ଏହି ନକଲି, ଅପମିଶ୍ରିତ ଜିନିଷର ମୂଲ୍ୟ ଅପେକ୍ଷାକୃତ ଶସ୍ତା ରହୁଥିବାରୁ ଆମ ଦେଶର ଗ୍ରାମାଞ୍ଚଳରେ ଏସବୁ ବହୁଳ ମାତ୍ରାରେ ବିକ୍ରି ହେଉଛି। ଗୋଟିଏ ପଟେ ଏଥିପାଇଁ ଦାୟୀ ହେଉଛି ଲୋକଙ୍କ ଦାରିଦ୍ର୍ୟ, ଅଜ୍ଞାନତା ଓ ଅସଚେତନତା।
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଦ୍ବାରା ୨୦୧୮ରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ସଂଗୃହୀତ ଖାଦ୍ୟପେୟ ଦ୍ରବ୍ୟର ନମୁନାରେ ୨୫ପ୍ରତିଶତ ଭେଜାଲ ବା ଅପମିଶ୍ରଣ ରହିଥିଲା। କିନ୍ତୁ ବାସ୍ତବରେ ଏହାର ପରିମାଣ ଯଥେଷ୍ଟ ଅଧିକ ହେବ। ଦେଶରେ ପ୍ରଦୂଷଣ ଭଳି ଭେଜାଲ ବା ଅପମିଶ୍ରଣ କେବେ ବି ଏକ ରାଜନୈତିକ ପ୍ରସଙ୍ଗ ହୋଇପାରିନାହିଁ। ଖାଦ୍ୟପେୟର ଅପମିଶ୍ରଣ ବିଷୟରେ ଜାଣି ଚିନ୍ତିତ ଥିଲେ ଆମେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ନିକଟରେ ଅଭିଯୋଗ କରିପାରିବା। ଦେଶର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ପହଞ୍ଚିଲେ ସରକାରଙ୍କ ସହ ସ୍ଥାନୀୟ ପ୍ରଶାସନର ଆଖି ଖୋଲିଯିବ।
ବୈପାରୀଗୁଡ଼ା, କୋରାପୁଟ
imohanty.1991@gmail.com