ଚାଳକ ଦିବସ: ସରକାରୀ ସୁବିଧା ଦାବିକଲେ ଚାଳକ

ବ୍ରହ୍ମପୁର ଅଫିସ,୧୭ା୯: ଓଡ଼ିଶା ମୋଟର୍‌ ଚାଳକ ସଂଘର ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ସକାଳେ ଚାଳକ ଦିବସ ପାଳନ କରାଯାଇଛି। ଏହି ଅବସରରେ ସକାଳେ ବହୁ ସଂଖ୍ୟାରେ ଗାଡ଼ି ଚାଳକ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଏକାଠି ହୋଇଥିଲେ। ସେଠାରୁ ଏକ ରାଲିରେ ବାହାରି ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସଂଘର ବିଭିନ୍ନ ଦାବି ସମ୍ପର୍କିତ ଏକ ସ୍ମାରକପତ୍ର ଉପଜିଲାପାଳ ଶିନ୍ଦ୍ରେ ଦତ୍ତାତ୍ରୟ ଭାଉସାହେବଙ୍କୁ ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଦେଶ ଗଠନରେ କାର୍ଯ୍ୟକରୁଥିବା ଟ୍ରକ୍‌, ବସ୍‌, ଟ୍ୟାକ୍ସି ଚାଳକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶ ପ୍ରଗତି ତଥା ରାଜ୍ୟର ଅର୍ଥନୈତିକ ପ୍ରଗତିର ବାହାକ ହେଉଛନ୍ତି ଚାଳକ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ସମସ୍ତ ଜିନିଷପତ୍ର ପହଞ୍ଚାଇବାରେ ଏବଂ ଆଶୁ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବା ସହ ଜନ ପରିବହନ କ୍ଷେତ୍ରରେ ଚାଳକମାନେ ମହତ୍ତ୍ୱପୂର୍ଣ୍ଣ। କିନ୍ତୁ ଦିନରାତି ନିରନ୍ତର କାର୍ଯ୍ୟ କରୁଥିବା ଚାଳକଙ୍କ ପାଇଁ ସରକାରଙ୍କ କୌଣସି ସୁବିଧା ନାହିଁ। ଓଲଟି ଚାଳକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଜରିମାନା ଲଦି ଦିଆଯାଉଛି। ଏଥି ସହ ସଂଘ ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯାଇଛି । ବ୍ରହ୍ମପୁର ସହରରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ ନିର୍ମାଣ, ଚାଳକଙ୍କ ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ, ଚାଳକଙ୍କ ପାଇଁ ବିଶ୍ରାମ ଗୃହ, ଆଲୋକ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ସମସ୍ତ ଚାଳକଙ୍କୁ ଶ୍ରମ ବିଭାଗରେ ପଞ୍ଜୀକରଣ ସହ ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ ଆଦି ସେମାନଙ୍କ ଦାବି ରହିଛି। ସଂଘର ସଭାପତି ରାଜେନ୍ଦ୍ର କୁମାର ଚୌଧୁରୀ, ଉପସଭାପତି ନୀଳମାଧବ ପାଠୀ, ସମ୍ପାଦକ ଧୋବା ଗୌଡ଼, ଉପସମ୍ପାଦକ ଦିଲେଶ୍ୱର ଦାସ, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ ଚାଳକ ଏଥିରେ ଭାଗ ନେଇଥିଲେ। ରାଲି ସମୟରେ ଚାଳକମାନେ ଟ୍ରାଫିକ ସଚେତନତା ସ୍ଲୋଗାନ୍‌ ଦେଇଥିଲେ।