ଚାଷଜମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଘସିପୁରା, ୫।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଅଁଳାପାଳର ଚାଷ ଜମିରୁ ଏକ ଦମ୍ପତିଙ୍କ ମୃତଦେହ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଜଣାପଡି ନାହିଁ। ଘସିପୁରା ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ମୃତଦେହକୁ ବ୍ୟବଚ୍ଛେଦ ଲାଗି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି।
ମୃତ ଦମ୍ପତି ହେଲେ ରାଧିକାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ବିଜୟ ମୁର୍ମୁ(୪୨) ଓ ତାଙ୍କ ସ୍ତ୍ରୀ ପାନ ମୁର୍ମୁ (୪୦)। ଗୁରୁବାରଠାରୁ ଏହି ଦମ୍ପତି ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ଚାଷ ଜମି ନିକଟରେ ସେମାନଙ୍କ ମୃତଦେହ ପଡିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଚାଷ ଜମିରେ କାମ କରୁଥିବା ସମୟରେ ବଜ୍ରପାତ ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ ବୋଲି ପୋଲିସ କହିଛି।