ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା

ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ ପନିପରିବା ଚାଷ କରି ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ଚାଷୀଙ୍କ ସମସ୍ୟା ଅଣଦେଖା କରାଯାଉଛି। ଜଟଣୀ ବ୍ଲକର ଅନେକ ଚାଷୀ କ୍ଷୋଭ ଭରା କଣ୍ଠରେ ଏଭଳି ଅଭିଯୋଗ ଆଣିଛନ୍ତି। ଆବଶ୍ୟକ ସମୟରେ ସାର, କୀଟନାଶକ ଅଭାବ ସାଙ୍ଗକୁ ଏବେ କୃଷି ଅଧିକାରୀ ବା କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ସେମାନେ କହିଛନ୍ତି। ଏକର ଏକର ଜମିରେ ହୋଇଥିବା ପନିପରିବା ଚାଷରେ ପୋକ ଲାଗି ନଷ୍ଟ ହେବାରେ ଲାଗିଛି। ଯାହା ବି ଅମଳ ହେଉଛି ତାହା ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ବିକ୍ରି କରିବାରେ ସମସ୍ୟା ହେଉଛି। ଏବେଠାରୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିବାବେଳେ ଆଗକୁ ବର୍ଷାଦିନିଆ ଚାଷ କିପରି କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଜଟଣୀ ବ୍ଲକ କନ୍ତିଆ ଗ୍ରାମର ଚାଷୀ ପଦ୍ମଚରଣ ସୁବୁଦ୍ଧି କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ସାରଦୋକାନ ବନ୍ଦ ଥିବା ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଦୋକାନ ଖୋଲିଥିଲା। ହେଲେ ସେତେବେଳକୁ ଚାଷ ହୋଇଥିବା ଅନେକ ପନିପରିବା ନଷ୍ଟ ହୋଇ ସାରିଥିଲା। ୬ ଏକର ଜମିରେ ଏକଲକ୍ଷ ଟଙ୍କାର ତରଭୁଜ ମଞ୍ଜି ଓ ୪୫ ହଜାର ଟଙ୍କାର କଖାରୁ ମଞ୍ଜି କ୍ରୟ କରି ସେ ଚାଷ କରିଥିଲେ। ତେବେ ଏଥିରୁ ଅଧାରୁ ଅଧିକ ପୋକ ଲାଗି ନଷ୍ଟ ହୋଇଯାଇଛି। ବାରମ୍ବାର ଅଭିଯୋଗ ପରେ ବି ଦିନଟିଏ କୃଷି ବିଭାଗର କେହି ଅଧିକାରୀ ଓ କର୍ମଚାରୀ ଆସିଲେ ନାହିଁ। ଏପରି ସମୟରେ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ବୁଲି ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେବା କଥା। ମାତ୍ର କାହାର ଦେଖାନାହି। ସେହିପରି ଚାଷୀ ଚକ୍ରଧର ପ୍ରଧାନ କହିଛନ୍ତି, ମୁଁ ଭେଣ୍ଡି, କଖାରୁ, ଜହ୍ନି ଚାଷ କରିଛି। ପୋକ ଲାଗି ଯାହା ତ ନଷ୍ଟ ହୋଇଛି, ଆଉ ଯାହା ଅମଳ ହୋଇଛି ତାହା ବିକ୍ରୟ କରିବାରେ ସମସ୍ୟା ଦେଖାଦେଇଛି। ଅନ୍ୟ ଉପାୟ ନ ଥିବାରୁ ମଧ୍ୟସ୍ଥଙ୍କ ଦ୍ୱାରା ଏହା ଦେବାକୁ ପଡ଼ୁଛି। କ୍ଷତି ସହୁଥିଲେ ମଧ୍ୟ ମଧ୍ୟସ୍ଥ ସ୍ଥିର କରୁଥିବା ଦରରେ ପନିପରିବା ବିକ୍ରୟ କରିବାକୁ ବାଧ୍ୟ ହେଉଛି। ସରକାର ସମବାୟ ସମିତି ବା ଅନ୍ୟ କୌଣସି ମାଧ୍ୟମରେ ଅମଳ ପନିପରିବା ବିକ୍ରି ସୁବିଧା କଲେ ଚାଷୀ ଉପକୃତ ହୋଇପାରନ୍ତେ।

Share