ଚାଷୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ: ଇନପୁଟ ସବ୍‌ସିଡି ପାଇଁ ଯାଇଥିବା ଚାଷୀ ହଟହଟା

ନୂଆପଡା ଅଫିସ,୧୯ା୯: ସରକାର ଚାଷୀ କିମ୍ବା କୌଣସି ହିତାଧିକାରୀ ଅଧିକାରୀଙ୍କ ନିକଟକୁ ଆସିଲେ ତାଙ୍କୁ ଉପଯୁକ୍ତ ଆତିଥ୍ୟ ଦେଇ ଗୁହାରି ଶୁଣିବାକୁ ନିର୍ଦ୍ଦେଶ ରହିଥିବାବେଳେ ନୂଆପଡ଼ା ଜିଲା କୋମନା ତହସିଲଦାର ଚାଷୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଗତବର୍ଷ ମରୁଡିର ଇନପୁଟ ସବ୍‌ସିଡି ବାବଦକୁ ଗୁହାରି କରିବାକୁ ଆସିଥିବା ପଏଁର ଗ୍ରାମପଞ୍ଚାୟତ ଚାଷୀମାନେ ତହସିଲଦାର ଶ୍ୟାମଲ ରଏଙ୍କୁ ଭେଟି ଗୁହାରି କରିବାବେଳକୁ ଦୁର୍ବ୍ୟବହାର କରି ଅଫିସରୁ ତଡିଦେଇଛନ୍ତି। ଏହାକୁ ନେଇ ଚାଷୀମାନେ ତୁରନ୍ତ ନୂଆପଡା ଆସି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
ଅଭିଯୋଗ ଅନୁସାରେ ଗତବର୍ଷ ବର୍ଷାଭାବ ଯୋଗୁ କୋମନା ବ୍ଲକରେ ମରୁଡି ହୋଇଥିଲା। ଏଥିସକାଶେ ସରକାର ଇନପୁଟ ସବ୍‌ସିଡି ଟଙ୍କା ଯୋଗାଇଦେବାକୁ ଘୋଷଣା କରିଥିଲେ। କୋମନା ତହସିଲରେ ଚାଷୀଙ୍କୁ ବର୍ଷତମାମ ଭୁଆଁବୁଲାଇ ଚାଲିଥିବା ଅଭିଯୋଗ ହୋଇଛି । ସବୁଠାରୁ ବହୁଳ ପରିମାଣରେ ପ୍ରଭାବିତ ହୋଇଥିବା ପଏଁର ଗ୍ରାମପଞ୍ଚାୟତର ଚାଷୀମାନ ବାରମ୍ବାର ଅଫିସକୁ ଦୌଡିଛନ୍ତି। ହେଲେ ସମ୍ପୃକ୍ତ ତହସିଲଦାର ବିଭିନ୍ନ ବାହାନା କରି ବୁଲାଇ ଚାଲିଥିଲେ । ବୁଧବାର ମଧ୍ୟାହ୍ନ ୧୨ଟାରେ ପଞ୍ଚାୟତର ମହୁଲ ଭଟା, ପଏଁର ଏବଂ ଅନୁପଗଡ ଗାଁର ଚାଷୀ ଲଚ୍ଛିନ୍ଦ୍ର ମାଝି, କୈଳାସ ଭୋଇ, ଅମିୟ ପାଢୀ, ସୁଦାମ ସାହୁ, ଦେବଦତ ସାହୁ, ଭୀମ ଭୋଇ ପ୍ରମୁଖ ଅନ୍ୟ ଚାଷୀଙ୍କ ସହ ତହସିଲଦାରଙ୍କ କାର୍ଯ୍ୟାଳୟରେ ଯାଇ ଭେଟିଥିଲେ। କାର୍ଯ୍ୟାଳୟ ଭିତରକୁ ଯିବାକୁ ଅନୁମତି ଦେଇଥିଲେ । ଦାବିପତ୍ର ଗ୍ରହଣ କରିଥିଲେ । ହେଲେ ସେଠାରୁ ହଠାତ ଉତକ୍ଷିପ୍ତ ହୋଇ ଚାଷୀମାନଙ୍କୁ ଗେଟ ଆଉଟ କହି ତଡିଦେଇଥିଲେ। ଚାଷୀମାନେ ବୁଝାଇ ନିଜର ନିବେଦନ ରଖିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ଓଲଟା ପାଟି କରି ଟେବୁଲ ପିଟି ତଡିଦେଇଥିଲେ । ଅସନ୍ତୋଷ ଚାଷୀମାନେ ଫୋନ ଯୋଗେ ଜିଲାପାଳଙ୍କୁ ଜଣାଇବା ପରେ ନୂଆପଡା ଆସି ଅପରାହ୍ନରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହା ଉପରେ ତହସିଲଦାରଙ୍କୁ ପଚାରିବାରୁ ଏଭଳି କୌଣସି ଦୁର୍ବ୍ୟବହାର କରି ନ ଥିବା କହିଛନ୍ତି ।