Categories: ଗଞ୍ଜାମ

ଚାଷୀଙ୍କୁ ମିଳିନି ଫସଲ ବୀମା କ୍ଷତିପୂରଣ

ଛତ୍ରପୁର,୨୦।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ପ୍ରତିବର୍ଷ ବାତ୍ୟା, ବନ୍ୟା ଓ ମରୁଡିରେ ବ୍ୟାପକ ଫସଲ ନଷ୍ଟ ହେଉଛି । ମାତ୍ର ଫସଲ ବୀମା ବାବଦରେ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ୨୦୧୮ରେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଫସଲ କ୍ଷତି ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇ ରିପୋର୍ଟ ଦିଆଯାଇଥିଲା। ଏହାକୁ ଆଧାର କରି ଚାଷୀଙ୍କୁ ପ୍ରଶାସନ ପକ୍ଷରୁ ଫସଲ କ୍ଷତି ପୂରଣ ମିଳିଥିଲା। ମାତ୍ର କ୍ଷତିଗ୍ରସ୍ତ ଚାଷୀମାନେ ଫସଲ ବୀମା ପ୍ରିମିୟମ ଟଙ୍କା ବ୍ୟାଙ୍କ ଓ ସୋସାଇଟିରେ ଜମା କରିଥିଲେ ସୁଦ୍ଧା ଅଧିକାଂଶ ଚାଷୀ କ୍ଷତିପୂରଣ ପାଇନାହାନ୍ତି। ସେହିପରି ଯେଉଁମାନେ ବି ଫସଲ ବୀମା ସହାୟତା ପାଇଛନ୍ତି ମାତ୍ର ୧୨ ପ୍ରତିଶତ କ୍ଷତିର କ୍ଷତିପୂରଣ ମିଳିଛି।
ମିଳିଥିବା ସୂଚନା ଅନୁସାରେ ଜିଲାର ୧ ଲକ୍ଷ ୨୧ ହଜାର ଚାଷୀ ପ୍ରିମିୟମ ଟଙ୍କା ଦେଇଥିଲେ ସୁଦ୍ଧା ମାତ୍ର ୯ ହଜାର ୬୬୦ ଚାଷୀଙ୍କୁ ଫସଲ ବୀମା ବାବଦରେ କ୍ଷତିପୂରଣ ମିଳିଛି । ଏବେ ଫନୀ ବାତ୍ୟାରେ ଜିଲାର ରବି ଫସଲ ବିଶେଷ ଭାବେ କ୍ଷତି ହୋଇଛି । ବିଶେଷକରି କାଜୁ, ଆମ୍ବ, ପଣସ, କଦଳୀ, ଲେମ୍ବୁ , ଗୁଆ, ନଡିଆ ଆଦି ଗଛ ବାତ୍ୟାରେ ନଷ୍ଟ ହୋଇଯାଇଛି । ଏହାର ତୁରନ୍ତ ଆକଳନ କରି କ୍ଷତିପୂରଣ ଦେବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି ।