ଚାଷୀଙ୍କୁ ୪୫୦ କୋଟି କୃଷିଋଣ

କଟକ ଅଫିସ,୫ା୬: ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ୨୦୨୦ ଖରିଫ ଚାଷ ପାଇଁ କଟକ ଜିଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲାପାଳ ଭବାନୀ ଶଙ୍କର ଚୟନୀ ଏଥିରେ ଅଧ୍ୟକ୍ଷତା କରି ସାମୂହିକ କୃଷି ଉତ୍ପାଦନର ବିକାଶ ସହ ଉତ୍ପାଦନ ବଢ଼ାଇ ଜିଲାର ଅର୍ଥନୀତିକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତବର୍ଷ ଖରିଫ ଋତୁ ପାଇଁ ସମବାୟ ବ୍ୟାଙ୍କ ମାଧ୍ୟମରେ ୪୫୦ କୋଟି କୃଷିଋଣ ଦିଆଯିବା ପାଇଁ ଏଥିରେ ଟାର୍ଗେଟ୍‌ ରଖାଯାଇଛି।
ଚଳିତବର୍ଷ ୧ ଲକ୍ଷ ୮୮ ହଜାର ୧୫୦ ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଜିଲାରେ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି। ସେଥିରୁ ୧ ଲକ୍ଷ ୩୬ ହଜାର ହେକ୍ଟର ଜମିରେ ଧାନ, ୪୨ ହଜାର ୮୨୮ ହେକ୍ଟର ଜମିରେ ପନିପରିବା ଓ ୯ ହଜାର ୩୨୨ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବ। ୧ ଲକ୍ଷ ୨୩ ହଜାର ୨୮ ହେକ୍ଟର ଜମିରେ ବିଭିନ୍ନ ଜଳସେଚନ ଉତ୍ସ ଦ୍ୱାରା ଜଳସେଚିତ କରାଯିବ। ଚଳିତ ବର୍ଷ ହେକ୍ଟର ପିଛା ୭୫ କିଲୋ ସାର ବ୍ୟବହାର ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜିଲା କୃଷି ଅଧିକାରୀ ମୋହନ ପ୍ରସାଦ ଶର୍ମା ସୂଚନା ଦେଇଥିଲେ। ଜିଲାରେ ପଙ୍ଗପାଳ ଉପଦ୍ରବ ନେଇ ସାମାନ୍ୟ ଆଶଙ୍କା ଥିଲେ ମଧ୍ୟ ସତର୍କତା ଅବଲମ୍ବନ ସହ ଜିଲା କୃଷି କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସମବାୟ ସମିତି ଉପନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି, ଡିଆର୍‌ଡିଏ ପିଡି ଅବଦଲ ଅଖତର, ନାବାର୍ଡ ଏଜିଏମ୍‌ ଏସ୍‌.ପି. ପଣ୍ଡା, କୃଷି ଓ ଉଦ୍ୟାନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Share