ଚାଷୀଙ୍କ ଋଣ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଅନୁଗୋଳ ସହର, ୧୧।୨

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡ଼ିଆ ସେବା ସମବାୟ ସମିତି ବ୍ୟାଙ୍କରେ ଚାଷୀମାନଙ୍କ ଋଣ ଟଙ୍କା ହଡ଼ପ କରାଯାଇଥିବା ନେଇ ସୋମବାର ଚାଙ୍ଗୁଡ଼ିଆ ପଞ୍ଚାୟତର ଚାଷୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଚାଙ୍ଗୁଡ଼ିଆ ସେବା ସମବାୟ ସମିତି ଅଧୀନରେ ସନ୍ତରାବନ୍ଧ, ଚାଙ୍ଗୁଡ଼ିଆ, କଙ୍କୁରପାଳ, ବଡ଼ବେରଣା, କେନ୍ଦୁପଶି, କମ୍ପସଲା, ଅନ୍ଧାରିକଟା, ମଣ୍ଡୁଆ, ହରିହରପୁର, କଇଁଛପଦା ଆଦି ଗ୍ରାମ ରହିଛି। ଚାଷୀମାନେ ଉକ୍ତ ସମିତିରୁ ଋଣ ଆଣି ଚାଷ କାର୍ଯ୍ୟ କରନ୍ତି। କିନ୍ତୁ ସମିତି ସଭାପତି ଲୋନ୍‌ କରିଦେବାକୁ କହି ଚାଷୀଙ୍କଠାରୁ ଚେକ୍‌ରେ ଦୁଇରୁ ତିନୋଟି ସ୍ବାକ୍ଷର ନେଇଥିଲେ। ପରେ ଏନ୍‌ଇଏଫ୍‌ଟି ମାଧ୍ୟମରେ ଚେକ୍‌ଗୁଡ଼ିକ ଜମା ଦେଇ ଚାଷୀମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ଉଠାଇ ନେଇଛନ୍ତି। ପୂର୍ବରୁ ମଧ୍ୟ ସମିତିର କେତେଜଣ ସଦସ୍ୟଙ୍କ ଋଣ ଟଙ୍କା ଓ ବୀମା ଟଙ୍କା ଆତ୍ମସାତ୍‌ କରିବା ଅଭିଯୋଗରେ ସମିତି ସଭାପତି ଜେଲ ଯାଇସାରିଛନ୍ତି। ଚାଷୀମାନେ ସେମାନଙ୍କ ପାସ୍‌ ବୁକ୍‌କୁ ବ୍ୟାଙ୍କରେ ସଂଶୋଧନ କରିବା ପରେ ସେମାନଙ୍କ ନାମରେ ଋଣ ଉଠାଯାଇଥିବା ଜାଣିବାକୁ ପାଇଛନ୍ତି। ଚାଷୀ କିଶୋରୀ ବେହେରା, ସରୋଜ ବେହେରା, ହୃଦାନନ୍ଦ ସାହୁ, ବିନୋଦିନୀ ସାହୁ, ଦିବାକର ସାହୁ, ଜଗନ୍ନାଥ ଦାସ, ରମାକାନ୍ତ ପ୍ରଧାନ, ଗନ୍ଧର୍ବ ନାଏକ, ଚନ୍ଦ୍ରମଣି ସାହୁ, ଦୁଃଶାସନ ପ୍ରଧାନ, ଗୌରହରି ପ୍ରଧାନ, ଧନଞ୍ଜନ ସାହୁ, ଏକଲବ୍ୟ ସାହୁ, ପ୍ରସନ୍ନ କୁମାର ଦାସ, ସରୋଜ କୁମାର ସାହୁ, ମନୋଜ କୁମାର ସାହୁ, ହର ନାଏକ, ଗୌରହରି ବେହେରାଙ୍କ ସମେତ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି। ଜିଲାପାଳ ତୁରନ୍ତ ପଦକ୍ଷେପ ନେଇ ଆତ୍ମସାତ ଋଣ ଟଙ୍କା ଫେରାଇ ନ ଆଣିଲେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚାଷୀ ଚନ୍ଦ୍ରମଣି ସାହୁ, ଦିବାକର ସାହୁ, ଗିରିଶ ଚନ୍ଦ୍ର ବେହେରା, ରାମାକାନ୍ତ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଚାଙ୍ଗୁଡ଼ିଆ ସେବା ସମବାୟ ସମିତି ସମ୍ପାଦକ ସଦାନନ୍ଦ ପ୍ରଧାନ କହିଛନ୍ତି, ସଭାପତି ଟଙ୍କା କରିଦେଇଛନ୍ତି କହି ସମସ୍ତ ଚାଷୀଙ୍କ ଠାରୁ ଚେକ୍‌ରେ ଦସ୍ତଖତ କରି ଟଙ୍କା ଉଠାଇ ନେଇଛନ୍ତି। ଏ ନେଇ ଅଭିଯୋଗ ପରେ ଗିରଫ ମଧ୍ୟ ହୋଇଥିଲେ। ତେବେ ସନ୍ତରାବନ୍ଧ ଗ୍ରାମବାସୀ ଏ ନେଇ ଜିଲାପାଳଙ୍କ ପାଖରେ ଅଭିଯୋଗ କରିଥିବା ସମ୍ପାଦକ ପ୍ରକାଶ କରିଛନ୍ତି। ଅଭିଯୋଗ ସମ୍ପର୍କରେ ସମିତି ସଭାପତିଙ୍କ ମୋବାଇଲ ନମ୍ବରକୁ ୭୯୭୮୭୩୭୩୬୬ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ମତାମତ ଦେଇ ନ ଥିଲେ।

Share