ଚାଷୀଙ୍କ ନୂଆ ଆଶା ‘ସୂର୍ଯ୍ୟମୁଖୀ’

କେନ୍ଦୁଝର, ୩୦ା୪(ସ୍ବ.ପ୍ର.): ସରକାର ଚାଷୀଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଅର୍ଥ ଆମଦାନୀ ଫସଲ ସୂର୍ଯ୍ୟମୁଖୀ, ବିରି, ମୁଗ। ଏହି ଚାଷୀଙ୍କୁ ପ୍ରୋତ୍ସାହନ କରାଯାଉଥିଲା ବେଳେ ଜଳସେଚନର ସୁବିଧା ନ ଥିବାରୁ ଅନେକେ ଉତ୍ସାହୀ ଚାଷୀ ଏହି ଚାଷ କରିପାରୁ ନାହାନ୍ତି। କୃଷି ବିଭାଗ ଅନେକ ସମୟରେ ବିହନ ଦେଇ ଦାୟିତ୍ୱ ଶେଷ କରୁଛି। ଜଳସେଚନ ବ୍ୟବସ୍ଥା କିପରି ମିଳିପାରିବ ସେ ନେଇ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ଲାଭଜନକ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷଙ୍କ ଆଗ୍ରହ ବଢୁଥିଲେ ହେଁ ଉପଯୁକ୍ତ ସୁବିଧାସୁଯୋଗ ମିଳୁ ନ ଥିବାରୁ ଅନେକ ହତାଶ ହେଉଛନ୍ତି। ସ୍ବାସ୍ଥ୍ୟପ୍ରତି ଯନତ୍ବାନ ହେଉଥିବା ଲୋକ ଆଜିକାଲି ସୂର୍ଯ୍ୟମୁଖୀ ତେଲ ଖାଇବାକୁ ପସନ୍ଦ କରୁଛନ୍ତି। ଏ ନେଇ ଚାଷୀଙ୍କ ନୂଆ ଆଶା ସୂର୍ଯ୍ୟମୁଖୀ ହୋଇଛି। ଏହାର ଚାହିଦା ଅଧିକ ରହିଛି। ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ଏହି ଚାଷ ବ୍ୟାପକ ପରିମାଣରେ ହୋଇପାରିବ ବୋଲି ଚାଷୀ ମତ ବ୍ୟକ୍ତ କରୁଛନ୍ତି।

ଏଭଳି ହରିଚନ୍ଦନପୁର ବ୍ଲକର ଉତ୍ସାହୀ ଚାଷୀ ସୂର୍ଯ୍ୟମୁଖୀ ଫୁଲ ଚାଷ ଆରମ୍ଭ କରିଛନ୍ତି। ପିଟାପିଟିର ଚାଷୀ ଭୀମସେନ ସାହୁ କହିଛନ୍ତି ଯେ, ପାଖାପାଖି ୨ ଏକର ଜମିରେ ସେ ଖରାଟିଆ ଚାଷ କରିଛନ୍ତି। ଲାଭ ହେଲେ ଆଗକୁ ଅଧିକ ଜମିରେ ଏହି ଚାଷ କରିବେ। କୃଷି ବିଭାଗ ପକ୍ଷରୁ ମଞ୍ଜି ମିଳିଛି। ସାର ନିଜେ କିଣି ବ୍ୟବହାର କରିଛନ୍ତି। ଏବର୍ଷ ନୂଆ କରି ଏହି ଚାଷ କରିଛନ୍ତି। ତେଲ ପେଡି ଖାଇବାକୁ କରିଛନ୍ତି। କେତେ ଅମଳ ହେବ ଜାଣିବା ପରେ ଆଗକୁ କରିପାରିବେ ବୋଲି କହିଛନ୍ତି। ଆଗରୁ ମୁଗ, ବିରି କୋଳଥ ଆଦି ଚାଷ କରୁଥିଲେ। ବର୍ଷା ପାଣି ଉପରେ ନିର୍ଭର କରୁଛନ୍ତି। ଜଳସେଚନ ବ୍ୟବସ୍ଥା ନାହିଁ। ଜଳସେଚନ ପାଇଁ ତାଙ୍କର ଉଠାଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। ଠିକ ଭାବେ ଖନନ ହୋଇ ନ ଥିବାରୁ ଏବେ ଅଚଳ ହୋଇପଡିଛି। ଉକ୍ତ ଗ୍ରାମର ଯତୀନ୍ଦ୍ର କୁମାର ବିଦ୍ୟାଧର ଓ ଗୌରାଙ୍ଗ ଚରଣ ସାହୁ ମଧ୍ୟ ଏହି ଚାଷ ପରୀକ୍ଷାମୂଳକ ଭାବେ କରିଛନ୍ତି। ଉକ୍ତ ଅଞ୍ଚଳରେ ଶତାଧିକ ଉତ୍ସାହୀ ଚାଷୀ ଅଛନ୍ତି। ସୂର୍ଯ୍ୟମୁଖୀ ଫୁଲ ତେଲର ଚାହିଦା ଆଜିକାଲି ବହୁତ ରହିଛି। ଏହା ଲାଭଜନକ ଚାଷ ବୋଲି ବହୁ ଚାଷୀ କହିଛନ୍ତି। ଜଳସେଚନର ସୁବିଧା ନ ଥିବା ସହ ମଞ୍ଜି ବିକ୍ରି ପାଇଁ ବ୍ୟବସ୍ଥା ନ ଥିବାରୁ ଏହି ଚାଷପ୍ରତି ଆଗ୍ରହ କରୁନାହାନ୍ତି ବୋଲି କେତେକ ଚାଷୀ କହିଛନ୍ତି।