Categories: ବାଣିଜ୍ୟ

ଚାଷୀଙ୍କ ପାଇଁ ଆସିବ ପେନସନ ବ୍ୟବସ୍ଥା

ନୂଆଦିଲ୍ଲୀ,୩୦-୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍‌ ଜରିଆରେ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୧୨ କୋଟି ଚାଷୀ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପରେ ଏବେ ନରେନ୍ଦ୍ର ମୋଦି ସରକାର ଅନ୍ନଦାତାଙ୍କ ପାଇଁ ଆଉ ଏକ ବୃହତ ଯୋଜନା ଆଣିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନ ବେଳେ ଭାଜପା ପକ୍ଷରୁ ପ୍ରକାଶିତ ଘୋଷଣାପତ୍ରରେ ଏ ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ କାର୍ଯ୍ୟକାରୀ କରାଗଲେ ବରିଷ୍ଠ ଚାଷୀଙ୍କୁ ପେନସନ ମିଳିବ। କେତେକ ରାଜ୍ୟରେ ଚାଷୀଙ୍କ ପାଇଁ ଏଭଳି ପେନସନ ଯୋଜନା ରହିଛି। କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ଚାଷୀଙ୍କୁ ସାମାଜିକ ସୁରକ୍ଷା ଦେବା ଭଳି କୌଣସି ଯୋଜନା ନାହିଁ। ସୂଚନାଯୋଗ୍ୟ ଯେ, କିଷାନ ସମ୍ମାନ ନିଧି ଯୋଜନାରେ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ପାଇଁ ଚାଷୀଙ୍କୁ ସରକାର ୩ଟି କିସ୍ତିରେ ୬ ହଜାର ଟଙ୍କା ବାର୍ଷିକ ଦେଉଛନ୍ତି। ଏବେ ୬୦ ବର୍ଷରୁ ଅଧିକ ଚାଷୀଙ୍କୁ ପେନସନ ଦେଇ ସରକାର ସେମାନଙ୍କ ଆର୍ଥିକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି। ଦଳର ମୁଖପାତ୍ର ରାଜୀବ ଜେଟ୍‌ଲୀ କହିଛନ୍ତି ଯେ, ଚାଷୀଙ୍କ ଲାଗି ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯିବ। ବାସ୍ତବରେ ହରିୟାଣା ସରକାରଙ୍କ ଏହି ଯୋଜନାକୁ ମୋଦି ସରକାର ଆପଣାଇବାକୁ ଯାଉଛନ୍ତି। ହରିଆଣାର ଭାଜପା ରାଜ୍ୟ ସଭାପତି ସୁଭାଷ ବରାଲାଙ୍କ ନେତୃତ୍ୱରେ ଏକ କମିଟି ଅନେକ ଅଧ୍ୟୟନ ପରେ ଚାଷୀଙ୍କ ପାଇଁ ପେନସନ ଯୋଜନା ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସରକାର ଗ୍ରହଣ କରିଥିଲେ ଏବଂ ବଜେଟରେ ଏଥିଲାଗି ୧୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

Share