ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ଼ ଅଫିସ,୨୫।୭: ବରଗଡ଼ ସଦର ଥାନା ଅନ୍ତର୍ଗତ ବୀରମାଲ ନିକଟ ପୋଢ଼ମୁଣ୍ଡା ଗ୍ରାମରେ ବୁଧବାର ରାତିରେ କୀଟନାଶକ ପିଇ ଜଣେ ଯୁବଚାଷୀ ବୈଷ୍ଣବ ଭୁଏ(୨୭) ଆତ୍ମହତ୍ୟା କରଥିବା ଅଭିଯୋଗ ହୋଇଛି। ଫସଲହାନି ସହିତ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ମୀନକେତନ ଭୁଏ ଅଭିଯୋଗ କରିଛନ୍ତି। ସଦର ଥାନା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଜିଲା ମୁଖ୍ୟ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଇଛି । ତେବେ ଫସଲ ଆରମ୍ଭରୁ ଯୁବଚାଷୀଙ୍କ ଆତ୍ମହତ୍ୟା ଏଠାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।
ପ୍ରକାଶ ଯେ, ମୀନକେତନଙ୍କ ୫ ପୁଅ ନିର୍ମଳ, ବୈଷ୍ଣବ, ଶିଶୁପାଳ ପାଣ୍ଡବ ଓ ବିଜୁ। ନିଜର ୩ ଏକର ଏବଂ ଅନ୍ୟ ୧ ଏକର ଭାଗଚାଷ କରି ସେମାନେ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ସେଥିରୁ ପ୍ରାୟ ୫୦ ଡେସିମିଲି ଜମିରେ ବାଇଗଣ, କଲରା, ଜହ୍ନି ଆଦି ପରିବା ଚାଷ କରିଥିବାବେଳେ ବାକି ସାଢ଼େ ୩ ଏକର ଜମିରେ ଧାନଚାଷ କରିଛନ୍ତି। ତେବେ ଚାଷଜମିର ଅଧିକାଂଶ ଜମିକୁ କେନାଲ ପାଣି ମାଡ଼ୁ ନଥିବା ଯୋଗୁ ଉଠାଜଳସେଚନ ମାଧ୍ୟମରେ ଜମିକୁ ପାଣି ମଡ଼ାଇଥାନ୍ତି। ତେବେ ବର୍ଷାଭାବରୁ ଉଭୟ ଜଳସେଚିତ, ଅଣଜଳସେଚିତ ଜମିରେ ବୁଣିଥିବା ଧାନ ନଷ୍ଟ ହୋଇ ଯାଇଥିଲା। ଅଣଜଳସେଚିତ ଜମିର ଧାନ ପାଣି ଅଭାବରୁ ଲାଲ ହୋଇଯାଇ ଥିବାବେଳେ ଧାନପହ୍ଲା କିଆରୀରେ ମଧ୍ୟ ଅନୁରୂପ ଅବସ୍ଥା ହୋଇଥିବା ମୃତ ଯୁବଚାଷୀ ବୈଷ୍ଣବଙ୍କ ବାପା ମୀନକେତନ କହିଛନ୍ତି । ସେହିପରି ପରିବା କିଆରି ମଧ୍ୟ ନଷ୍ଟ ହୋଇଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ସେହି ଚାଷକାର୍ଯ୍ୟ ପାଇଁ ପାଖାପାଖି ଦେଢ଼ରୁ ୨ଲକ୍ଷ ଟଙ୍କା ଧାର କରି ଖର୍ଚ୍ଚ ହୋଇଥିଲା । ଫଳରେ ଚାଷ କ୍ଷତି ହେବା ଯୋଗୁ ବୈଷ୍ଣବ ସବୁବେଳେ ଋଣବୋଝ ଚିନ୍ତାରେ ରହୁଥିଲେ ଏବଂ ବୁଧବାର ରାତିରେ କ୍ଷେତକୁ ଯାଇ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜମିକୁ ପାଣି ମଡ଼ାଇବା ପାଇଁ ଯାଉଛି କହି ରାତି ପ୍ରାୟ ୯ଟାରେ ସେ ଘରୁ ବାହାରିଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଖୋଜାଖୋଜି କରିବାରୁ ଜମିରେ ବୈଷ୍ଣବ ଗୁରୁତର ଅବସ୍ଥାରେ ପଡ଼ିଥିଲେ ଏବଂ ତାଙ୍କ ପାଖରେ କୀଟନାଶକ ଡବା ମଧ୍ୟ ପଡ଼ି ରହିଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏ ନେଇ ଅଧିକ ତଦନ୍ତ ଚଲାଇଛି।