ଚାଷୀ ଆନ୍ଦୋଳନ, ଧାନର ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ଝଡ଼: ବିରୋଧୀଙ୍କ ହୋ-ହଲ୍ଲା, ଗୃହ ମୁଲତବୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର ଜିଲାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଧାନ ବିକ୍ରିକୁ ନେଇ ଆରମ୍ଭ କରାଯାଇଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଧାନର ଅଭାବୀ ବିକ୍ରୀ ଦେଖାଦେଇଛି। ମଣ୍ଡିରେ ଧାନ ସଂଗ୍ରହ ଠିକ୍‌ ଭାବେ ହେଉନାହିଁ। ଏହାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯାଉଛି। ଅପରପକ୍ଷେ ଚାଷୀ ଆନ୍ଦୋଳନ ଓ ଧାନର ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ଏବଂ ଦଳର ଅନ୍ୟ ସଦସ୍ୟମାନେ ପ୍ରବଳ ହୋ-ହଲ୍ଲା କରିଥିଲେ। ପ୍ରଶ୍ନକାଳ ବାତିଲ କରି ପ୍ରଥମେ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଉ ବୋଲି କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ। ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବା ପାଇଁ ଚେଷ୍ଟା କରିଥିଲେ। ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଥିଲା। ସଦସ୍ୟଙ୍କ ହଟ୍ଟଗୋଳରେ ବିଧାନସଭା ପ୍ରକମ୍ପିତ ହୋଇଥିଲା। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ଗୃହକୁ ୧୦.୩୧ମିନିଟ୍‌ରୁ ୧୧.୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ୧୧.୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ଭାଜପା ଓ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ପ୍ରବଳ ହୋ-ହଲ୍ଲା କରିଥିଲେ। ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ଗୃହକାର୍ଯ୍ୟକୁ ସ୍ବାଭାବିକ କରିବା ପାଇଁ ସର୍ବrଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ବୈଠକରେ ଯୋଗଦେବା ଲାଗି ବାଚସ୍ପତି ଅନୁରୋଧ କରିଥିଲେ। ୧୧.୩୧ମିନିଟରୁ ଗୃହକୁ ୧୨.୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବୈଠକରେ ବାଚସ୍ପତି ବିରୋଧୀଙ୍କୁ ମନାଇ ଗୃହକାର୍ଯ୍ୟକୁ ସ୍ବାଭାବିକ କରିପାରିବେ କି ନାହିଁ ତାହା ଉପରେ ରହିଛି ନଜର।

Share