ଚାଷୀ କ’ଣ ଦୟାର ପାତ୍ର

ସବ୍ୟସାଚୀ ଅମିତାଭ
ଚାଷୀଙ୍କୁ ନେଇ ବିଧାନସଭା ପଡୁଛି ଉଠୁଛି। ବିରୋଧୀଙ୍କ ପ୍ରଶ୍ନବାଣରେ ଶାସକ ଦଳ ଜର୍ଜରିତ। କିଛି କରିନ, ଖାଲି ପ୍ରତିଶ୍ରୁତି ଦେଉଛ। ଚାଷୀଙ୍କ ଭାଗ୍ୟ କେବେ ବଦଳିବ? କେବେ ଚାଷୀଙ୍କର ଆୟ ଦୁଇଗୁଣ ହେବ? କେବେ ତା’ ଜମିକୁ ପାଣି ମାଡିବ? କେବେ ତା’ ପାଇଁ ଶୀତଳଭଣ୍ଡାର ହେବ? ଏମିତି କେତେ ପ୍ରଶ୍ନ। ଏହି ‘ନାହିଁ-ନାହିଁ’ର ଶବ୍ଦଜାଲ ଭିତରେ ଆଉ ଗୋଟିଏ ପ୍ରଶ୍ନ ହେଉଛି- ସତରେ କ’ଣ ଆମ ରାଜ୍ୟର ଚାଷୀ କାହା ଦୟାର ପାତ୍ର!
କେବେ ଅମଳ ହେଉନି ତ କେବେ ଅମଳ ହେଲେ ବିକ୍ରି ନାହିଁ। ଲହୁଲୁହକୁ ଏକାଠି କରି ପ୍ରକୃତି ସହ ଲଢ଼େଇ କରି ଫସଲ ମୁଠାକ ଅମଳ କଲେ ବି ସାଇତି ରଖିବାକୁ ଶୀତଳଭଣ୍ଡାର ନାହିଁ। କେଉଁଠି ବଜାର ନାହିଁ ତ କେଉଁଠି ମଣ୍ଡି ଖୋଲିନି। ବଜାର ଥିଲେ ଚାଷୀଙ୍କୁ ସୁଯୋଗ ନାହିଁ, ମଣ୍ଡିରେ ଦଲାଲଙ୍କ ରାଜୁତି। ମାଟି ସହ ମାଟି ହୋଇ, ଖରାତରାକୁ ଖାତିର ନ କରି ନିଜ ଚାରିପୁରୁଷର ପାରମ୍ପରିକ ଚାଷକୁ ଆଦରିବାକୁ ଚେଷ୍ଟା କଲାବେଳକୁ ଜମିକୁ ପାଣି ମାଡୁନି। କେନାଲ ଅଛି, ପାଣି ପଞ୍ଚାୟତ ଅଛି, ହେଲେ ସରକାରୀ କାଗଜକଲମରେ କେବଳ ପାଣି ମାଡୁଛି। ପଡିଆ ପଡୁଛି ଚାଷୀର ଜମି। ବର୍ଷାର ଦୟାରୁ ଚାଷଜମିକୁ ବତର କରି ଫସଲ ଉପୁଜାଇବାକୁ ଉଦ୍ୟମ କଲାବେଳେ ରୋଗପୋକ ମାଡିବସୁଛି ଚାଷୀର ସ୍ବପ୍ନକୁ। ସାର-ଔଷଧ ପାଇଁ ତାକୁ ହାତ ପତାଇବାକୁ ପଡୁଛି ମହାଜନ ପାଖରେ, ନ ହେଲେ ମହିଳା ସ୍ବୟଂସହାୟକ ଗୋଷ୍ଠୀ ପାଖରେ। ସରକାର ଚାଷୀକୁ ଋଣ ଦେବା ପାଇଁ ଖୋଲିଛନ୍ତି ସମବାୟ ବ୍ୟାଙ୍କ। ହେଲେ ସେଠି ବିଲରେ ଖଟୁଥିବା ଚାଷୀଙ୍କୁ ନୁହେଁ ବରଂ ବିଲ ଦେଖି ନ ଥିବା ଚାଷୀ ନେତାଙ୍କୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ଋଣ। ଅସଲ ଚାଷୀଟି ଋଣ ନ ପାଇ କରଜରେ ବୁଡୁଛି। ଆଉ ଫସଲ ଉଜୁଡିଗଲେ ଋଣ ଶୁଝି ନ ପାରିବାର ଆଶଙ୍କାରେ ଆତ୍ମହତ୍ୟାକୁ ଆଦରି ନେଉଛି।
ସରକାର ପରେ ସରକାର ଆସୁଛନ୍ତି। ଚାଷୀ ପାଇଁ ଯୋଜନା ପରେ ଯୋଜନା ତିଆରି ହେଉଛି। ପୁରସ୍କାର ପରେ ପୁରସ୍କାର ମିଳୁଛି। କିନ୍ତୁ ବାସ୍ତବତା ସମ୍ପୂୂର୍ଣ୍ଣ ଶୂନ୍ୟ। ସରକାରଙ୍କ କୌଣସି ଯୋଜନା ପ୍ରକୃତ ଚାଷୀ ପାଖେ ପହଞ୍ଚତ୍ପାରୁନି। ତାକୁ ଅଧା ବାଟରେ ହରିଲୁଟ୍‌ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ମୁଖାପିନ୍ଧା ନକଲି ଚାଷୀ।
ଟିକେ ନିରିଖେଇ ଦେଖିଲେ ଚାଷଜମି ଥିବା ଅଧିକାଂଶ ଲୋକ ଚାଷୀ ନୁହନ୍ତି। କିଏ ପୂର୍ବ ଜମିଦାରି ସୂତ୍ରରେ ଅବା ପୈତୃକ ଚାଷଜମିର ମାଲିକାନା ଜାହିର କରନ୍ତି। କିନ୍ତୁ କେବେ ସେମାନେ ଚାଷଜମିକୁ ଗଡିନାହାନ୍ତି। ସେମାନଙ୍କ ଚାଷଜମି ଭାଗସୂତ୍ରରେ ଲାଗିଛି। ଆଉ ଭାଗଚାଷୀଟି ପ୍ରତିକୂଳ ପରିସ୍ଥିତିରେ ମାଟି ସହିତ ଯୁଝି ଫସଲ ଅମଳ କଲାବେଳକୁ ପ୍ରକୃତି ବିପତ୍ତି ଆଣୁଛି। ସରକାର ଯେଉଁ କ୍ଷତିପୂରଣ ଦେଉଛନ୍ତି, ତାହାର ପ୍ରକୃତ ହିତାଧିକାରୀ ହେଉଛି ଜମି ମାଲିକ। ଅର୍ଥାତ୍‌, ଫସଲ ଉଜୁଡୁଛି ଚାଷୀର ଆଉ କ୍ଷତିପୂରଣ ପାଉଛି ଗୋଡ଼ର କାଣିଆଙ୍ଗୁଠି କେବେ କାଦୁଅ କରି ନ ଥିବା ଜମି ମାଲିକ। କାରଣ ଏଯାଏ ଆମ ରାଜ୍ୟରେ ଭାଗଚାଷୀ ଚିହ୍ନଟ ହୋଇପାରିନି। ପ୍ରକୃତ ଚାଷୀ କେତେ, କିଏ ଚାଷୀ, କିଏ କି ପ୍ରକାର ଚାଷୀ, ଏହାର ଠିକ୍‌ ହିସାବ ବା ସଂଖ୍ୟା ସରକାରଙ୍କ ପାଖରେ ନାହିଁ। ଯେଉଁମାନଙ୍କୁ ସରକାର ଓ ପ୍ରଶାସନ ଚାଷୀ ବୋଲି ଦେଖାଇ ଅନୁକମ୍ପା ଓ ସହାୟତା ଦେଇ ଚାଲିଛନ୍ତି, ସେମାନଙ୍କ ଭିତରୁ ୭୦ରୁ ୮୦ ପ୍ରତିଶତ ହେଉଛନ୍ତି ଚାଷର ଚ ଅକ୍ଷର ଜାଣି ନ ଥିବା ଲୋକ।
ଚାଷୀ ମାଗୁଛି ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌। କିନ୍ତୁ ସରକାର ସେମାନଙ୍କର ତାଲିକା କରିପାରୁନାହାନ୍ତି। କାରଣ ସରକାରଙ୍କ ପାଖରେ ନାହିଁ ଚାଷୀର ତାଲିକା। ସରକାର ଯେଉଁ ଉଜୁଡ଼ା ଫସଲ କ୍ଷତିପୂରଣ, ମୋବାଇଲ୍‌, ମାଗଣା ଉପକରଣ ବାଣ୍ଟୁଛନ୍ତି, ସେମାନେ ଅଧିକାଂଶ ନକଲି ମୁଖାପିନ୍ଧା ଚାଷୀ।
ଏବେ ଆସିବା କୃଷିଋଣ ଛାଡ଼ ପ୍ରସଙ୍ଗକୁ। ପ୍ରଶ୍ନ ଉଠୁଛି ସମବାୟ ବ୍ୟାଙ୍କରୁ ଋଣ ନେଉଥିବା ତଥାକଥିତ ଚାଷୀଙ୍କ ମଧ୍ୟରୁ କେତେ ଜଣ ଚାଷ କରନ୍ତି? ଚାଷ ପାଇଁ ସେମାନେ ଋଣ ନେଉଛନ୍ତି ନା ଅନ୍ୟ କୌଣସି କାମ ପାଇଁ? ଚାଷ କରୁଥିବା, ସକାଳ ହେଲେ ବିଲକୁ ଗଡୁଥିବା କେତେ ଜଣ ଚାଷୀ ଋଣ ନେଇଛନ୍ତି? ଏସବୁ ଉତ୍ତର କାହା ପାଖରେ ନାହିଁ। ଏବେ ଯଦି ନିକଟସ୍ଥ ସମବାୟ କାର୍ଯ୍ୟାଳୟକୁ କେହି ଯାଆନ୍ତି, କାନ୍ଥରେ ଲେଖାଥିବ ଋଣ ଖିଲାପକାରୀ ଅଧିକାଂଶଙ୍କୁ ଚିହ୍ନି ପାରିବେ, ସେମାନେ କେଉଁ ଭଳିଆ ଚାଷୀ?
ବାସ୍ତବତାକୁ ନିରିଖେଇଲେ ଜଣାପଡେ, ଚାଷୀକୁ କେବେ ଋଣ ମିଳେନା। ଋଣ ପାଇଁ ସମବାୟ ବ୍ୟାଙ୍କ୍‌ ପିଣ୍ଡାରେ ଶହ ଶହ ଥର ଆଣ୍ଠେଇଲେ ବି ଋଣ କିନ୍ତୁ ତାକୁ ମିଳି ନ ଥାଏ। ତେଣୁ ସେ ମହାଜନ ଗୋଡ଼ ତଳେ ପଡି ଧାରକରଜ କରି ଚାଷ ଉଠାଏ। ତେଣୁ ଋଣଛାଡ ଦ୍ୱାରା ଯେ ପ୍ରକୃତ ଚାଷୀ ଉପକୃତ ହୋଇପାରିବ ତାହା ଭାବିବା ବୋକାମି। ଚାଷୀଙ୍କୁ ଦୟା ଦରକାର ନାହିଁ। ଦରକାର ଖେତକୁ ପାଣି। ଦରକାର ମଣ୍ଡିରେ ଧାନ ବିକିବାର ସମ୍ମାନ। ତାକୁ ଦରକାର ତା’ର ହାଡଭଙ୍ଗା ପରିଶ୍ରମର ପାଉଣା। ତାକୁ ଜମିର ମାଲିକାନା ନୁହେଁ ଫସଲର ମାଲିକାନା ଲୋଡ଼ା। ତେବେ ଯାଇ ଚାଷୀର ଭାଗ୍ୟ ବଦଳିପାରିବ।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri