ଚାଷୀ ପଞ୍ଜୀକରଣ ଦେଖିବେ ୧୬ ଅଧିକାରୀ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଧାନ ପଞ୍ଜୀକରଣ କିଭଳି ଚାଲିଛି, ଚାଷୀମାନେ ହଇରାଣ ହରକତ ହେଉଛନ୍ତି କି, ପଞ୍ଜୀକରଣ ତାଲିକାର ଅଗ୍ରଗତି, ତ୍ରୁଟି ଆଦି କାର୍ଯ୍ୟର ତଦାରଖ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗର ୧୬ ଜଣ ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହି ଅଧିକାରୀମାନେ ୩୦ଟି ଜିଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟକୁ ତଦାରଖ କରିବେ। ଏହି ଅଧିକାରୀମାନେ ସେପ୍ଟେମ୍ବର ୧୦ରୁ ୧୨ ତାରିଖ ମଧ୍ୟରେ ଉଦ୍ଦିଷ୍ଟ ଜିଲାର ପ୍ରାଥମିକ ସମବାୟ ସମିତି, ଲ୍ୟାମ୍ପସ୍‌, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ହେଉଥିବା ଚାଷୀ ପଞ୍ଜୀକରଣ କାର୍ଯ୍ୟର ତଦାରଖ କରିବେ। ପଞ୍ଜୀକରଣ ସମୟରେ ଚାଷୀ ଦେଇଥିବା ଜମିଜମା ସଂକ୍ରାନ୍ତୀୟ ତଥ୍ୟ ଓ ପଟ୍ଟାଗୁଡିକର ଯାଞ୍ଚ କରିବେ। ପଞ୍ଜୀକୃତ ଚାଷୀଙ୍କର ତାଲିକା ପଞ୍ଚାୟତ, ସମବାୟ ସମିତି ଓ ଧାନ ସଂଗ୍ରହ କେନ୍ଦ୍ରଗୁଡିକରେ ପ୍ରଦର୍ଶନ କରାଯାଇଛି କି ନାହିଁ ସେସବୁର ତନଖି କରିବେ। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଚାଷୀ ପଞ୍ଜୀକରଣ ନେଇ ଏକ ତାଲିକା ପ୍ରକାଶ କରାଯାଇଛି। ସେଥିରେ ଯଦି ଚାଷୀଙ୍କର କିଛି ସମସ୍ୟା ରହିଛି ତେବେ ତାହାକୁ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି କି ନାହିଁ। ଅଧିକାରୀମାନେ ଜିଲା ଗସ୍ତ ଶେଷ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।
ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୯ ଲକ୍ଷ ୫୦ ହଜାର ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଛନ୍ତି। ତେବେ ଚଳିତ ବର୍ଷ ନୂତନ ଚାଷୀ ତାଲିକା ପ୍ରସ୍ତୁତ କରାଯାଉଛି। ବିଗତ ବର୍ଷ ଗୁଡିକରେ ସମବାୟ ସଂସ୍ଥାଗୁଡିକ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଚାଷୀ ତାଲିକାକୁ ଧାନ ସଂଗ୍ରହରେ ସାମିଲ କରୁଥିଲେ । ଏଥିଯୋଗୁ ଚାଷୀ ପଞ୍ଜୀକରଣରେ ବହୁ ଜାଲିଆତି ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନବୀକରଣ ପ୍ରକ୍ରିୟାକୁ ବାତିଲ କରି ନୂତନ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୁଦ୍ର ଓ ଭାଗଚାଷୀ ଯେପରି ସେମାନଙ୍କ ଧାନ ବିକ୍ରି କରି ପାରିବେ ସେନେଇ ସମସ୍ତ ସହାୟତା ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।