ଚାଷୀ ପଞ୍ଜୀକରଣ, ଧାନ କିଣାରେ ଅନିୟମିତତା: ସିଲାଟି ପ୍ୟାକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଲମ୍ବିତ

ସୋନପୁର,୨୪।୫(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଲାଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ବଳରାମ ପଧାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସୋନପୁର ଉପନିବନ୍ଧକ ସମବାୟ ସମିତି(ଏଆରସିଏସ୍‌)ଙ୍କ ନିର୍ଦ୍ଦେଶ କ୍ରମେ ସିଲାଟି ପ୍ୟାକ୍ସର ପ୍ରଶାସକ ତଥା ବିନିକା ସମ୍ପ୍ରସାରଣ ଅଧିକାରୀ ଅକ୍ଷୟ ମେହେର ଶନିବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୨୦୧୯-୨୦ ଖରିଫ ଧାନ କିଣା ଓ ଚାଷୀ ପଞ୍ଜୀକରଣ ଅନିୟମିତତାରେ ପଧାନଙ୍କ ସମ୍ପୃକ୍ତି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା ଅଭିଯୋଗରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲୁଣ୍ଡା ବ୍ଲକ ଯାଲୋଏ ଆରଆଇ ସର୍କଲ ଲୁହାଖଣ୍ଡି ଗ୍ରାମର ଜଣେ ଚାଷୀ ଜମିର ଧାନକୁ ନିଜ ଅଞ୍ଚଳର ପ୍ୟାକ୍ସରେ ନ ବିକି ବିନିକା ତହସିଲ ଅନ୍ତର୍ଗତ ସିଲାଟି ପ୍ୟାକ୍ସରେ ବିକ୍ରି କରିଥିଲେ ା ଗତ ଖରିଫ ଋତୁରେ ସେ ୩୪୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ । ଯୋଗାଣ ବିଭାଗ ଓ ବିନିକା ତହସିଲ ଏହାର ଠିକ୍‌ ଯାଞ୍ଚ କରି ନ ଥିଲେ । ଏହି ଦୁର୍ନୀତି ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଅନିୟମିତତାର ସ୍ପଷ୍ଟ ପ୍ରମାଣ ମିଳିଥିଲା ।