ଚାଷୀ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ

ଲଖନପୁର, ୪।୨(ଡି.ଏନ୍‌.ଏ.)
ଚଳିତ ବର୍ଷ ଝାରସୁଗୁଡା ଜିଲାରେ ଟୋକନ ପ୍ରଦାନରେ ଅବ୍ୟବସ୍ଥା ଯୋଗୁ ଚାଷୀମାନେ ନିଜ ନିଜର ଉପତ୍ାଦିତ ଧାନ ବିକ୍ରି କରିପାରୁନାହାନ୍ତି। ଧାନ ବିକ୍ରି ସମୟରେ କଟ୍‌ନିଛଟ୍‌ନି, ବସ୍ତା ସମସ୍ୟା, ଧାନ ମହଜୁଦ୍‌ ରଖିବା ପାଇଁ ସ୍ଥାନ ଅଭାବ, ଓଜନ କରିବାରେ ସମସ୍ୟା ଆଦିକୁ ନେଇ ଚାଷୀ ଶୋଷଣ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଜିଲାର ଚାଷୀମାନେ ଧାନ ବିକ୍ରି କରିବାକୁ ନେଇ ଏବେ ଚିନ୍ତାରେ ରହିଛନ୍ତି। ଶେଷରେ ଚାଷୀମାନେ ନିରୁପାୟ ହୋଇ ବାହାରେ ବ୍ୟବସାୟୀମାନଙ୍କୁ କମ୍‌ ମୂଲ୍ୟରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେବେ। ଏହାଫଳରେ ଚାଷୀ ସିଧାସଳଖ କ୍ଷତି ସହିବ ବୋଲି ଝାରସୁଗୁଡା ଜନ ସଂଗଠନ ମଞ୍ଚ ତରଫରୁ ଏଭଳି ଅଭିଯୋଗ ହୋଇଛି। ସଂଗଠନ ଆଉ ଏକ ଅଭିଯୋଗ କରିଛି ଯେ, ବେଦାନ୍ତ କମ୍ପାନୀ ଦ୍ୱାରା ପ୍ରଦୂଷିତ ହେଉଛି। ଏଥିରେ କମ୍ପାନୀ ଚାରିପାଖେ ରହିଥିବା ଧାନ, ପନିପରିବା ଆଦି ଚାଷ କ୍ଷତିଗ୍ରସ୍ତ ହେଉଛି। ଏ ନେଇ ଚାଷୀ ଅନେକ ଥର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏ ଦିଗରେ ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଜିଲା ପ୍ରଶାସନ ଏ ସମ୍ପର୍କରେ ଦୃଷ୍ଟି ଦେଇ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାପାଇଁ ସଂଗଠନ ଦାବି କରିଛି। ଯଦି ଜିଲାର ଚାଷୀଙ୍କ ସମସ୍ୟା ସମାଧାନ କରାନଯାଏ ତହା ହେଲେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ଧୁରୁଆ ଚେତାବନୀ ଦେଇଛନ୍ତି। ଏ ନେଇ ସଂଗଠନ ତରଫରୁ ସୋମବାର ସଭାପତି ବୁନ୍ଦେ ଧୁରୁଆଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲିଖିତ ଅଭିଯୋଗ କରିଛନ୍ତି। ଜିଲାପାଳ ସରୋଜ କୁମାର ସାମଲ ସଂଗଠନର ଅଭିଯୋଗକୁ ବିଚାରକୁ ନେଇ ଜିଲା ଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଚାଷୀଙ୍କ ଟୋକନ ପ୍ରଦାନ ବ୍ୟବସ୍ଥା ସିଧାସଳଖ ଭୁବନେଶ୍ୱରରୁ ହେଉଛି। ଏଥିରେ ଜିଲା ପ୍ରଶାସନର କୌଣସି ଭୂମିକା ନାହିଁ ବୋଲି ଜିଲାପାଳ ସାମଲ କହିଥିଲେ। ଭୁବନେଶ୍ୱରୁ ଟୋକନ ଆସିଲେ ବହୁଶୀଘ୍ର ଚାଷୀମାନଙ୍କୁ ପ୍ରଦାନ କରାଯିବ। ତାପରେ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ଜିଲାପାଳ ସାମଲ କହିଛନ୍ତି। ବିରଞ୍ଚି ସାହୁ, ଗୋପୀନାଥ ମାଝି, ଡମ୍ବରୁଧର ନାୟକ, ସୁରେନ୍ଦ୍ର ସାହୁ, ଡିଲେଶ୍ୱର ନାୟକ, ଭାଗବତ ସା, କୃଷ୍ଣଚନ୍ଦ୍ର ପ୍ରଧାନ, ବନମାଳୀ ବିଶ୍ୱାଳ, ସିର୍ଜୁ ଖମାରୀ, ପ୍ରଶାନ୍ତ ତ୍ରିପାଠୀ, ହେମକାନ୍ତ ବଢେଇ, ଅଜିତ କୁମାର ରଥ, ପ୍ରସନ୍ନ ପଣ୍ଡା, ସାରଙ୍ଗଧର ମିଶ୍ର ପ୍ରମୁଖ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ।

Share